ମୋ ମାଆ କୁ ମତେ ପୁଣି ଫେରାଇ ଦେବ, ମୋର ଟିକି ଅଳି ଟିଏ
ମୋ ମାଆ କୁ ମତେ ପୁଣି ଫେରାଇ ଦେବ, ମୋର ଟିକି ଅଳି ଟିଏ


ନାଆଁଟି ତା'ର ଆସିଲେ ଓଠେ,
ମନରେ ଯେମିତି ମୋ କୁସୁମ ଫୁଟେ।
ତା' ରି ଆଖିରେ ଯେ ଦୁନିଆ ଦେଖିଲି,
ତା' ହାତ ଧରି ବାଟ ଚାଲି ଶିଖିଲି ।
ସେ ଯେ ଅଟଇ ମମତାର ପ୍ରତିମୂର୍ତ୍ତି,
ବିଶ୍ଵ ନିଅନ୍ତାଙ୍କର ଅଟଇ ସେ ଅପରୂପ କୃତି ।
ଏକା ଏକା କେମିତି ଯେ କରିନିଅ ତୁମେ ଏତେ ସବୁ,
କେତେ ଯେ ଦିନ ବିତିଗଲାଣି ମୋର ଏହି କଥା ଭାବୁ ଭାବୁ।
ଝୁଣ୍ଟି ପଡିଲେ ମୁଁ କୋଳେଇ ନେଇ ତୁମେ କହୁଥିଲ ସରାଗରେ,
'ହାତେ' କରିଦେ ତାକୁ; କିଏ ମାରିଲା ତତେ ତାକୁ ଦେ ଦୁଇ ପାହାରେ।
ଜହ୍ନ ମାମୁଁ ଧରିବା ପାଇଁ କରୁଥିଲି ଯେବେ ଅଳି,
ମୋ ହାତ ପାପୁଲିରେ ଆଇନା ଦେଖାଇ ଆଣି ଦେଉଥିଲ ସରଗର ଜହ୍ନ ତାରା ତୋଳି।
ଯେବେ ଆସୁଥିଲା କଠିନ ସମୟ କି ଉତ୍ଥାନ ପତନ,
ତୁମେ କହୁଥିଲ ପତର ନୁହେଁ ହୋଇ ଯା' ତୁ ପଥର ସମାନ।
ପତର ହୋଇଲେ ଉଡିଯିବୁ ତୁ ଭାସିଯିବୁ ତୁ,
ଧନ! ମୋର ନିଜକୁ କରିଦେ ଚଟାଣ ସମ ତୁ।
ହାରିବୁ ନାହିଁ ତୁ; ଭାଙ୍ଗିବୁ ନାହିଁ ତୁ ; ତୁ' ଯେ ଅମୃତର ସନ୍ତାନ,
ନିଜକୁ କରିଦେ ଏତେ ଯେ ତେଜସ୍ଵୀ ସତେ କି ସୂରୁଜ ସମାନ।
ରାତି ରାତି ଧରି କେତେ ଯେ ରାତି ତୁମେ ବିତାଇଛ ଉଜାଗରେ,
ନାନା ଓଷା ବ୍ରତ ଯାଚି ଦେଇଅଛ ମୋରି ଆରୋଗ୍ୟ ଉଦ୍ଦେଶ୍ଯରେ।
ତୁଣ୍ଡେ ଅନ୍ନ ଦେଇ ନାନା ବାୟା ଗୀତ ଗାଇ ଦେଉଥିଲ ମତେ ଶୁଆଇ,
କେବେବି ଜାଣିବାକୁ ଦେଇନଥିଲ, ତୁମେ ଖାଇଲ କି ନାହିଁ କି ଅଖିଆ ରେ ଗଲ ଶୋଇ।
ମାଆ ସତେ ତୁମେ ଏତେ ସବୁ କେମିତି ଯେ କରିପାର,
ଆଜି ବି ଲାଗେ ତୁମେ ପୂର୍ଣ୍ଣ ନିଦର୍ଶନ ଇଶ୍ଵରଙ୍କ ସୃଷ୍ଟି ର।
ମାଆ ତୁମେ ଯେ ଅଟ ଅପୂର୍ବ ଶକ୍ତିର ଅଧିକାରିଣୀ,
ଏ କଥା ପରମେଶ୍ଵର ମଧ୍ୟ ଅଛନ୍ତି ଜାଣି।
ସତ୍ୟ ଯୁଗେ ପରା ସତୀ ଅନସୂୟା,
ତ୍ରିନାଥ ଙ୍କୁ ଦେଇଥିଲେ ବାଳୁତ କାୟା।
ତ୍ରିଦେବୀ ଙ୍କର ଗର୍ବ
ଭାଙ୍ଗି ଦେଇଥିଲେ ଦେଇ ମାତୃତ୍ୱ ର ପରାକାଷ୍ଠା,
ନିଜ ମାଆ ଆଗେ ମୁଣ୍ଡ ନୁଆଁନ୍ତି ଏ ଜଗତ ର ସ୍ରଷ୍ଠା।
ସୁର ନର ମୁନି ଇଚ୍ଛନ୍ତି ଯାହାକୁ କରିବାକୁ ଦରଶନ,
ଯଶୋଦା ମାଆ ର ଅନ୍ଧର ଲଉଡ଼ି ସ୍ଵୟମ ପ୍ରଭୁ ଭଗବାନ।
ବିଶ୍ଵ ବ୍ରହ୍ମାଣ୍ଡର ଦର୍ଶନ କରାଇଲ ମାଟି ଖାଇ ଜନାର୍ଦ୍ଦନ,
ରୋଳ ରେ ବନ୍ଧା ହୋଇ କରିଥିଲ ଯାମଳା ଅର୍ଜୁନ ଭଗ୍ନ।
ଜଗତ ଯାହାକୁ ବାନ୍ଧି ନ ପାରିଲା କୌଣସି ବନ୍ଧନରେ ,
ଯଶୋଦା ମାଆ ତାକୁ ବାନ୍ଧି ଦେଇଥିଲେ ସାମାନ୍ୟ ଖୁଆ ଦଉଡ଼ିରେ।
ମାଆ ତୁମେ ଅଟ କେତେ ଯେ ମହାନ,
ସେ କଥା ବର୍ଣ୍ଣନ ପାଇଁ ବ୍ରହ୍ମାଣ୍ଡ ରେ କେ ଅଛି ସମ।
ବାପାଙ୍କ ଗାଳି ରୁ ବଞ୍ଚାଇବା ପାଇଁ ମତେ କରିଛ କେତେ ଯେ ବାହାନା,
ସବୁ ଦୋଷ ମୋର କ୍ଷମା କରି ଦେଇଛ ନ ରଖି କୌଣସି କାମନା।
କେତେ ଯେ ଭୁଲ୍ କରିଛି ମୁଁ ନାହିଁ ତା'ର କିଛି ସୀମା,
ତଥାପି କହୁଥିଲ ତୁମେ ମୋ ଧନ ତ ଖାଣ୍ଟି ସୁନା, ଏ କଥା ମୁଁ ବୁଝି ନ ପାରଇ ଜମା।
ଏତେ ଜାଗା ମାଆ ବୁଲି ମୁଁ ଆସିଲି ; କେତେ ଯେ ବ୍ୟଞ୍ଜନ ଖାଇଲି,
ହେଲେ ମାଆ! ସତ କହିବି ତୁମ ହାତ ରନ୍ଧା ମୁଁ ଭୁଲି ନ ପାରିଲି।
ମୋ ହାତରେ ତ ; କିଛି ବି ସ୍ଵାଦିଷ୍ଟ ହୁଏନି ଏତେ,
ତୁମ ହାତ ରନ୍ଧା ଶାଗ ମୁଗ ସୁଆଦିଆ ଲାଗେ ଯେତେ।
ଜାଣିଛ କି ମାଆ ;ତୁମେ କହିଥିବା ପରୀ କାହାଣୀ ରେ ପରୀ ଦେଖିବାକୁ କିପରି?
ପରୀ ର ଚେହେରା ନା ଦେଖିବାକୁ ଲାଗେ ଠିକ୍ ତୁମରି ପରି।
ଫୋନ ବି ଧରି ଆସେନି ତୁମକୁ ଜଣାନାହିଁ ନମ୍ବର ଡାଏଲ କରି,
ସୁଦୂରେ ଥାଇ ମାଆ ସବୁ ଜାଣିପାର ଆଖିରୁ କେବେ ମୋ ଲୁହ ଟୋପେ ଗଲେ ଝରି।
ଯେଉଁଠି ଥାଏ ମୁଁ ଯେମିତି ଥାଏ,
ସଦା ତୁମ ସ୍ମୃତି ମୋ ପାଖରେ ଥାଏ।
ହେ ଇଶ୍ଵର! ଯଦି କେବେ ମୁହିଁ ଧରିତ୍ରୀ ମାଆ କୋଳେ ଜନମ ନିଏ,
ମୋ ମାଆ କୁ ମତେ ପୁଣି ଫେରାଇ ଦେବ ମୋର ଟିକି ଅଳି ଟିଏ।