କବିତା ପରା ମୋ ଜୀବନ ଧନ
କବିତା ପରା ମୋ ଜୀବନ ଧନ
କଳ୍ପନାର ପରୀ କବିତା ଅପ୍ସରୀ
ସୁନ୍ଦର କବିତା ନନ୍ଦନ ବନ
କବିତା କିରଣ ଉଜ୍ଜ୍ବଳ ଆଲୋକେ
ଫୁଟେ ପାରିଜାତ ଶବ୍ଦ ସୁମନ ।
ନୁହେଁ ଇତିହାସ କବିତା ନିଚ୍ଛକ
ସାବଲୀଳ ସତ୍ଯ ଆତ୍ମ ଦର୍ଶନ
ଗୁନ୍ଥେ ଜୟମାଲ୍ଯ ଶବଦ କୁସୁମେ
କରି ଗନ୍ଧ ବାସ ଗୁଣ ଚୟନ ।
କବିତା ମୋ ଶ୍ବାସ ଜୀବନର ମନ୍ତ୍ର
କବିତା ପରା ମୋ ଜୀବନ ଧନ
ଆଶ୍ଚର୍ଯ୍ୟ କବିତା କଷଣ ମୋଚନେ
ଅଦ୍ଭୁତ କିମିଆ ତା ସମ୍ମୋହନ ।
ସତ୍ଯ ଅନୁଭୂତି କରେ ସେ ବର୍ଣ୍ଣନ
ସୃଜେ ଇନ୍ଦ୍ରଚାପ ସପତ ରଙ୍ଗ
କବିତାର ଛନ୍ଦ ନୃତ୍ଯ ରସେ ଶବ୍ଦ
ରଚେ ଛାୟାଚିତ୍ର ମଧୁର ତାନ ।
ବିହରେ କବିତା କୁଞ୍ଜ ମଧୁବନେ
ଶୁଣେ କର୍ଣ୍ଣ ପାତି ବେଣୁ ନିସ୍ବନ
ଜୀବନ ଯନ୍ତ୍ରଣା ଭୁଲିଯାଇ ଦୁଃଖ
କୃଷ୍ଣ ଭବାବେଶେ ହୁଏ ନିମଗ୍ନ ।
କବିତା ଅମୋଘ ରୋଗ ମହୌଷଧି
କରେ ଉପଶମ ଜଟିଳ ବ୍ଯାଧି
ଉଦ୍ଗାରି ଅନଳ ଜଗତୁ କଳ୍ମଷ
ପାରେ ଭୂକମ୍ପକୁ ସେ ପ୍ରତିିରୋଧି ।
ଭବ ଜଳଧିକୁ କରେ ସନ୍ତରଣ
ମରତ ଲୋକରେ ରହି କବିତା
ଚାହେଁ ଉଡିବାକୁ ଆକାଶେ ସ୍ବଚ୍ଛନ୍ଦେ
ଗୁଞ୍ଜି ଜୀବନର ମୁକତି ଗାଥା । ।

