ମନ କାନଭାସ
ମନ କାନଭାସ
ବେଦନାର ତୂଳୀ ଧରି
କେଉଁ ଚିତ୍ର ତୁମେ ଆଙ୍କି ପାରିବ
କଳକଳ ଝରଣାର
ହଳହଳ ଉଡୁଥିବା ପକ୍ଷୀର
ନା ଢଳଢଳ ନୟନର
ତୁମେ ଅତୃପ୍ତ ବିଷାଦଗ୍ରସ୍ତ
ହୃଦୟରେ ବିଷାକ୍ତ ଜ୍ଵାଳା
ଛଳଛଳ ଆଖି ଦେଖି ପାରିବନି
ଫଗୁଣର ପ୍ରୀତି
ବର୍ଷାର ଗୀତି
ଦେଖିବ ତ ଶୀତର ପ୍ରକୋପ
ଗ୍ରୀଷ୍ମର ଅସହ୍ୟ ତାତି ।।
ତଥାପି ତୟାର ତୁମେ
ଆଙ୍କିବାକୁ ଦୁନିଆକୁ
ନିଜ ନଜରରେ
ବେପରୁଆ ଭାବରେ
ଯେଉଁଠି ନଥିବ ପ୍ରେମର କଳିକା
ସ୍ନେହର ପରଶ
ଭାବନା ସରସ
ଥିବ ପ୍ରତାରଣାର କ୍ଷତ
ଲହୁର ସ୍ରୋତ
ଯାତନାର କାହାଣୀ
ଲୁହ ଝରାଉଥିବା ଶ୍ରାବଣୀ ।।
ମୁଁ ଅଟକାଇବିନି ,
ବହି ଯାଉ ତୂଳୀ ଦେଇ
ଅବ୍ୟକ୍ତ ବେଦନା
ଅତୃପ୍ତ କାମନା
ପଚାସଢା ବାସନା ।
ତାପରେ ଆଙ୍କିଦେବ
ମୌସୁମୀର ଛିଟା
ଋତୁରାଜର ଝଲକ
ମନ ସ୍କେଲରେ ମାପି ଆସିବ
ସାରା ମୂଲକ
ଯେଉଁଠି ବାଜୁଥିବ ବାଂଶୁରୀ
ନାଚୁଥିବ ମୟୂରୀ
ଭାସି ଆସୁଥିବ ଫୁଲର ମହକ
ପ୍ରକୃତି ରାଣୀର କୁହୁକ
ଆଖିରେ ଭରି ଆଣିବ
ଖାଲି ରଙ୍ଗୀନ ଦୁନିଆ
ହଜିଥିବ ଯେଉଁଠି ତୁମରି ହିଆ ।।