STORYMIRROR

Padmalaya Mishra

Abstract Inspirational Others

4  

Padmalaya Mishra

Abstract Inspirational Others

ମୁଁ ନାରୀ

ମୁଁ ନାରୀ

1 min
19


ମୁଁ ନାରୀ

ସଂସ୍କାର ଶଣ୍ଠଣା ସବୁ ମୋ ଗୁଣ

ସମାଜର ମୁଁ ହିଁ ଦର୍ପଣ

ଆଦିମ ଯୁଗରୁ ଆଧୁନିକ

ସବୁବେଳେ ଲୋଡ଼ା ମୋ ସମର୍ପଣ ।।


ମୁଁ ସୀତା ମୁଁ ସାବିତ୍ରୀ

ମୁଁ ଅହଲ୍ୟା ମୁଁ ଧରିତ୍ରୀ

କେବେ ଉର୍ମିଳା କେବେ ମନ୍ଦୋଦରୀ

ପୁଣି ମୁଁ ହିଁ ଶବରୀ

ମୁଁ କୁନ୍ତି ମୁଁ ଗାନ୍ଧାରୀ 

ମୁଁ ଦ୍ରୌପଦୀ ସୁନ୍ଦରୀ

କେବେ ରାଧା କେବେ ମୀରା

ପୁଣି ମୁଁ ହିଁ ଉତ୍ତରା ।।


ଭୂ ରୁ ଭୂମା

ମୋହରି ତର୍ଜମା

ମୋ ପାଇଁ ରାମାୟଣ

ମୋ ପାଇଁ ମହାଭାରତ

କେହି ଦେଖନ୍ତି ନାହିଁ ମୋ କ୍ଷତ

ପ୍ରତି ମୁହୂର୍ତ୍ତେ ଆହତ

ତଥାପି ନୀରବ

ଶୁଭେ ନାହିଁ ଅନ୍ତରର ରାବ

ପଢନ୍ତିନି ମୁଖ ମଣ୍ଡଳ ଭାବ ।।


ଅଗ୍ନିପରୀକ୍ଷା ଦେଇ ବି

ବନବାସ ଯାଏ

ପ୍ରେମରେ ଭିଜାଇବି

ବିରହ ପାଏ

ଆଖିର ଲୁହ ଓଠ ପିଏ

ଆଲୁଅକୁ ପିଠି କରି ଶୁଏ ।।


ଦୁହିତା ମୁଁ ଦୁଇ କୂଳ ହିତା

ଅଗଣା ବଦଳେ

ମନ ବି କୁହୁଳେ

ମମତାର ବନ୍ଧନରେ

ସ୍ବପ୍ନ ବି ତରଳେ ।।


ମୁଁ ନଦୀ ମୁଁ ଝରଣା

ପାଏନି ଆଶାର ପାଉଣା

ମୁଁ ଫୁଲ ମୁଁ ମଧୁ

ହୃଦୟ ମୋ ଅଥଳ ସିନ୍ଧୁ

ପାପୀ ତପୀ ଅବୋଧ

ବୁଡ଼ ପକାନ୍ତି ଅବାଧ

ଧୋଇ ନେଇ ସବୁ ଅବ୍ୟକ୍ତ

ସେଥିପାଇଁ ବୋଧେ ଲବଣାକ୍ତ

ଏବେ ବିଦ୍ରୋହ ବିକାର ଜାଗେ

ସହିବାର ସୀମା ଲଙ୍ଘେ

ସଞ୍ଜମତା ମୋର ଗହଣା

ଶାନ୍ତ ସରଳ ରହିବା ଜଣା

କିନ୍ତୁ କୁହ କେତେ ସହିବି

ବାଦ ଅପବାଦର କାରଣ ହୋଇବି

ତେଣୁ ଭାଙ୍ଗୁଛି ମୋର ମୌନବ୍ରତ

ଧରୁଛି ଏବେ ଶସ୍ତ୍ର

ହୁଅ ସାବଧାନ

କର ସମାଧାନ

ମୁଁ ଅର୍ଦ୍ଧାଙ୍ଗିନୀ ନା ସଙ୍ଗିନୀ

ଉପଭୋଗ୍ୟା ନା ପାର୍ଶ୍ୱଯୋଗ୍ୟା ।।


ମୁଁ ସତୀ ମୁଁ ବ୍ରତୀ

ମୁଁ ଯୋଗମାୟା

ଅନ୍ନପୂର୍ଣ୍ଣା ସରସ୍ୱତୀ

ମହାମାୟା

ପ୍ରତିମାରେ ପୂଜିତା

ସମାଜରେ ଅବହେଳିତା

ମୁଁ ସ୍ରଷ୍ଟା ମୁଁ ସୃଷ୍ଟି

କରନାହିଁ ଅପମାନ ବୃଷ୍ଟି ।।


ଛୋଟ ମୋର ସ୍ଵପ୍ନ

ମୋ ଦୁନିଆରେ ମୁଁ ମଗ୍ନ

ଆଶା ଟିକେ ସ୍ନେହ ସମ୍ମାନ

ବିଶ୍ଵାସର କିରଣ

ତେବେ ଯାଇ

ଉଠାଇବିନି ବିଦ୍ରୋହର ତରବାରୀ

ମୁଁ ନାରୀ

ମୁଁ ନାରୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract