ସ୍ୱପ୍ନ ସୁନ୍ଦରୀ
ସ୍ୱପ୍ନ ସୁନ୍ଦରୀ


ଥିଲି ମୁହିଁ ଏକା ହେଲ ତୁମେ ଦେଖା
କିଣିଲ ମନକୁ ମୋର
ଅଳପ ଦିନର ଗପସପ ପରେ
ଲାଗିଲ ତୁମେ ନିଜର ।
ମଧୁଝରା ତୁମ ଗୋଲାପୀ ଓଠର
ମତୁଆଲି ମିଠା କଥା
କଣ୍ଠରୁ ଝଙ୍କୃତ ଶବ୍ଦର ସମ୍ଭାର
ଭୁଲାଏ ମନରୁ ବ୍ୟଥା ।
କଳାରଙ୍ଗ ଶାଢ଼ୀ ପାଦରେ ପାଉଁଜୀ
ଆଖିରେ କଜଳ ଗାର
ପାଦରେ ଅଳତା ନାଇ ଯେବେ ଚାଲ
ଲାଗ ପରୀ ସରଗର ।
ସମୟ ପାଇଲେ ହାତେ ଆଙ୍କିଦିଅ
ଖିଆଲି ମନର ଭାବ
ହୃଦୟର କଥା କହୁଛି ତୁମକୁ
ଉତ୍ତର ନିଶ୍ଚୟ ଦେବ ।
ଥିଲ ତୁମେ ଦୂରେ ମନ ଆଜି ଝୁରେ
କରିବାକୁ ହୃଦରାଣୀ
ରାଜି ହେବ ଯଦି ଆଗକୁ ବଢିବି
ଲେଖିବି ନୂଆ କାହାଣୀ ।
ସ୍ୱପ୍ନ ମୁଁ ଦେଖିଛି ମନ ଅଗଣାରେ
ତୁମକୁ ନେଇ ମୋ ମନେ
ମନ ମୋର ଚୋରି କରି ଅଛି କିଏ
ତମେ ହିଁ ତ ଅଟ ଜଣେ ।।