ରାଜନୀତି
ରାଜନୀତି


ରାଜନୀତି ଏଠି ଲୁଟିବା ପାଇଁକି
ମେଲାଇ ବସିଛି ଡେଣା
ଶାସନ ନାଆଁରେ ଶୋଷଣ ଚାଲିଛି
ସଭିଙ୍କୁ ଏକଥା ଜଣା ।
ସବୁଜାଣି ଶୁଣି କିଛି ଦାମ୍ ପାଇଁ
ବିକଇ ଜନତା ଭୋଟ
ଉନ୍ନତି ନାଆଁରେ ମୂଳପୋଛ ହୁଏ
ବଦଳେ ବିକାଶ ବାଟ ।
ବିକାଶ ଯାହାକୁ କୁହନ୍ତି ଶାସକ
ରଙ୍ଗବୋଳା କାର୍ଯ୍ୟକ୍ରମ
ପ୍ରକୃତ ହିସାବେ ବିକାଶ ରାଇଜେ
ସୃଷ୍ଟି କରେ ମତିଭ୍ରମ ।
ଶିକ୍ଷା ଠାରୁ ସେବା ସବୁଠି ଘୋଟାଲା
ବାଛ ଓ ବି-ଚାରା ନୀତି
ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇ
ଗଢୁଥାନ୍ତି ମୂଳଭିତ୍ତି ।
ମୂଳଦୁଆ ଏଠି ପ୍ରାୟତଃ ଦୁର୍ବଳ
ମାଳମାଳ ପ୍ରତିଶ୍ରୁତି
ପାଞ୍ଚବର୍ଷେ ଥରେ ମଞ୍ଚ ଆଗେ ମିଳେ
ବିକାଶର ମନ୍ତ୍ରବଟି ।
ଭକୁଆ ଜନତା ଉପଭୋଗେ ମାତେ
ନେତାଙ୍କ ମନୋରଞ୍ଜନ
ନାଚଗୀତେ ସରେ ବିକାଶର ଚିଠା
ଦୁଲୁକେଇ ମଞ୍ଚପ୍ରାଣ ।