ଫଗୁଣ ଫେରିଛି ପ୍ରକୃତି କୋଳକୁ
ଫଗୁଣ ଫେରିଛି ପ୍ରକୃତି କୋଳକୁ
ଫଗୁଣ ଫେରିଛି ପ୍ରକୃତି କୋଳକୁ ଘେନି ରଙ୍ଗର ଫାଲ୍ଗୁନୀ
ପ୍ରୀତିରଫଲ୍ଗୁରେ ଭିଜି ପାଗଳୀ ପିକ ଗାଉଛି ପ୍ରେମର ରାଗୀଣି ।
ପହିଲି ଫଗୁଣର ପରଶ ପାଇ ପ୍ରସ୍ଫୁଟିତ ପୁଷ୍ପ କଳି
ଫଗୁ ଫରୁଆର ପସରା ସଜେଇ ପୁଲକିତ ପୁରପଲ୍ଲୀ ।
ଶୀତକୁ ବିଦାୟ ଦେଇ ଆଗମନ କରିଛି ଋତୁରାଜ ବସନ୍ତ
ସବୁଜପାଟ ପିନ୍ଧିବ ଧରିତ୍ରୀ କଅଁଳି ଉଠିବ ନୂଆପତ୍ର ।
ବସନ୍ତର ପହିଲି ଆଭାସ ପାଇ ହସୁଛି ସଂଜୁଆ ଆକାଶ
ମୃଦୁମଳୟ ସମୀରେ ମହକି ଯାଉଛି ଆମ୍ର ବକୁଳର ବାସ ।
ଅଶୋକ ପଳାଶ ତରାଟ ମଧୁମାଳତୀର ବାସ ଯିବ ଚହଟି
ଶୀତଳ ଜ୍ଯୋସ୍ନାରେ ଭିଜିବ ଧରା ଚମକିବ ଚାନ୍ଦିନୀ ରାତି ।
ଅଭିର ଖେଳିବେ ଦୋଳଗୋବିନ୍ଦ ସଙ୍ଗେ ରାଧୀକାରାଣୀ
ଦର୍ଶନ ଦେବେ ଦାମୋଦର ପଞ୍ଚୁଦୋଳରେ ବିଜେ ହୋଇ ।
ନାଚିବେ ଘଣ୍ଟ ପାଟୁଆ ହେବ କୀର୍ତ୍ତନ ବାଜିବ ଝାଞ୍ଜ ମୃଦଙ୍ଗ
ଧରି ପିଚକାରୀ ଖେଳିବେ ହୋଲି ପୁଅ ଝିଅ ହୋଇ ସାଙ୍ଗ ।
ହୋଲିର ଏ ପର୍ବ ପ୍ରତୀକ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରର
ଅବିରର ରଙ୍ଗ ପ୍ରତୀକ ଭାତୃଭାବ ଆଉ ସଂସ୍କୃତିପ୍ରୀତିର ।
