ଏଇ ନୀରବତାରେ...
ଏଇ ନୀରବତାରେ...
କୋଳାହଳମୟ ଦୁନିଆର ମେଞ୍ଚାଏ ଅଭୁଲା ସ୍ମୃତିରେ
ଆଞ୍ଜୁଳାଏ ନୀରବତାରେ ପୂର୍ଣ୍ଣ ଅସଂଖ୍ୟ ଅନୁଭୂତିରେ
କୋହପୂର୍ଣ୍ଣ ଅଝଟିଆ ମନର ନୀରବ ଆନ୍ଦୋଳନରେ
ନିଶବ୍ଦ ଧ୍ୱନିର ଭାବ ଓ ଆବେଗର ଗହଳିରେ
ମୋର ସ୍ବରଚିତ କବିତା "ଏଇ ନୀରବତାରେ
ଏଇ ନୀରବତାରେ
କୋଳାହଳମୟ ଦୁନିଆ ପାଚେରୀର ଆଢୁଆଳେ
ଶୁଷ୍କ ଶବ୍ଦ ଖୋଜେ ନୀରବତାର ନିରବିଚ୍ଛିନ୍ନ ରାସ୍ତା
ଭାବନା ଭଉଁରୀରେ ଅତି ଦୁର୍ଲଭ ହସର ପସରା
କଳ୍ପନା ଅନ୍ଧକାରରେ ସାଉଁଟିଛି ନିସ୍ତବ୍ଧ ଶୂନ୍ୟତା ।
ବୁକୁତଳେ ଚାପି ହୋଇ ରହିଥିବା ଅବୁଝା ଶବ୍ଦଗୁଡା
ବିନାଧ୍ୱନିରେ କୋଳାହଳ ପରିବେଶ କରେ ସର୍ଜନା
ମନ ଏବଂ ବିବେକର ଦ୍ୱିଧାଯୁକ୍ତ ଆହତ ବେଦନା
ଅଭିମାନିନୀ ଓଷ୍ଠର ମୌନତା ଶବ୍ଦର ସୀମା ଲଙ୍ଘେନା ।
ଜୀବନ ଅସଜଡ଼ା ପୃଷ୍ଠାର କୋହପୂର୍ଣ୍ଣ ଅବ୍ୟକ୍ତ ଭାବନା
ଭରିଛି ଅସହାୟ ହୃଦୟେ ଅଭିନ୍ନ ନିଃସ୍ୱାର୍ଥ ଆତ୍ମୀୟତା
ନୀରବତାର ଏହି ଅକୁହା ଅସହ୍ଯ ଅଜଣା ଶୂନ୍ୟତା
ଯନ୍ତ୍ରଣାମୟ ଅଶ୍ରୁପୂର୍ଣ୍ଣ ଆଖିପତାରେ ଦେଖେ ବାସ୍ତବତା ।
ଫିକାଲାଗେ ନିସଙ୍ଗତା ଶିକୁଳିରେ ଆବଦ୍ଧ ସୁସଜ୍ଜିତ ଶବ୍ଦ
ଉତ୍ତର ବିହୀନ ପ୍ରଶ୍ନାବଳୀର ସାଜେ ପ୍ରତିବନ୍ଧକ
ସ୍ୱାର୍ଥପର ଦୁନିଆର ଭିଡରେ ଆତ୍ମୀୟଙ୍କ ବିଚ୍ଛେଦ
ଆବୋରି ନୀରବତା ବାର୍ତ୍ତାଳାପରେ ପକାଏ ପୂର୍ଣ୍ଣଚ୍ଛେଦ ।
ନୀରବତା କେବେ ଧୈର୍ଯ୍ୟର ପରିଭାଷା ଅଣନିଶ୍ବାସୀ ମନର
ପୁଣି କେବେ ଅନ୍ତରରେ ଲୁଚିଥିବା ଉତ୍ତର ଗୁଡ଼ାଏ ଅନୁସନ୍ଧାନର
ତାର ନିଶବ୍ଦ ଧ୍ୱନି ଖୋଜେ ସ୍ଵର ସ୍ଵାଧୀନତା ଆନ୍ଦୋଳନର
କେବେ ଲକ୍ଷଣ ସମ୍ମତିର ଅଥବା ଅସ୍ତିତ୍ବ ଆତ୍ମସମୀକ୍ଷାର।
