ସ୍ଵାଧୀନତା ପାଇଁ ଓଡିଆ ପୁଅ ...
ସ୍ଵାଧୀନତା ପାଇଁ ଓଡିଆ ପୁଅ ...
ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ଉତ୍କଳୀୟ ସଂଗ୍ରାମୀଙ୍କ ଭୂମିକା
ଓଡ଼ିଆ ପୁଅର ବୀରତ୍ୱ ପାଇଁ ଗର୍ବିତ ଆମ ଦେଶ ମାତୃକା ।
ମଧୁବାବୁ, ଫକୀରମୋହନ ରାଧାନାଥଙ୍କ ବିଜୟ ଗୀତିକା
ଶତସିଂହ ବଳରେ ଉଦ୍ରେକ କରାଇଲା ମାଆର ସୁରକ୍ଷା ।
ଓଡ଼ିଆ ପୁଅ ନେତାଜୀ ସୁଭାଷଙ୍କ ସ୍ଵାଧୀନତା ଆନ୍ଦୋଳନ
ଆଜାଦ ହିନ୍ଦ ଫୌଜରେ ମୁକ୍ତିର ବହ୍ନି କଲା ପ୍ରଜ୍ଜ୍ଵଳନ ।
ସତ୍ୟବାଦୀ ପଞ୍ଚସଖାଙ୍କର କାଳଜୟୀ ଲେଖନୀ ମୁନ
ସ୍ଵାଧୀନତା ସଂଗ୍ରାମେ ନବଚେତନାର ଦେଲା ଆହ୍ଵାନ ।
ଯୋଗଦେଲେ ଗୋପବନ୍ଧୁ ଗାନ୍ଧୀଜିଙ୍କ ଅସହଯୋଗ ମନ୍ତ୍ରରେ
ବିତିଛି କାରାଗାରରେ ଇଂରେଜ ବିରୋଧୀ ବୀରତ୍ୱର ଲେଖାରେ ।
ଲକ୍ଷ୍ମଣ ନାୟକ, ବିର୍ସାମୁଣ୍ଡା, ସୁରେନ୍ଦ୍ର ସାଏଙ୍କ ରଣହୁଙ୍କାରରେ
ଶହ ଶହ ଓଡ଼ିଆ ପୁଅ ଝାସ ଦେଲେ ସ୍ଵରାଜ୍ୟ ଆନ୍ଦୋଳନରେ ।
ବାର ବରଷର ଓଡ଼ିଆ ପୁଅ ବାଜିରାଉତର ଦେଶପ୍ରୀତି
ଜାତୀୟ ସ୍ଵରାଜ୍ୟ ନିମନ୍ତେ ହସିହସି ଦେଇଥିଲେ ଆତ୍ମହୁତି ।
ବକ୍ସି ଜଗବନ୍ଧୁ,ଜୟୀ ରାଜଗୁରୁଙ୍କ ବୀରତ୍ୱର କ୍ରାନ୍ତିକାରୀ ନୀତି
ଓଡ଼ିଆ ପାଇକ ମନେ ଜାଗ୍ରତ କରାଇଥିଲା ବିଦ୍ରୋହର ତାତି ।
ଆସ ମିଶି ସଭିଏଁ ତ୍ରିରଙ୍ଗା ପତାକା ତଳେ ଶପଥ ନେବା
ସଂଗ୍ରାମୀଙ୍କ ବଳିଦାନ ଏବଂ ମାତୃଭୂମିକୁ ସମ୍ମାନ ଦେବା ।
ଦେଶ,ଜାତିର ଗୌରବ ପାଇଁ ଲଢିବା, ଦେବାନାହିଁ ପଛଘୁଞ୍ଚା
ଆମର ଅସ୍ମିତା ତ୍ରିରଙ୍ଗା ପତାକା ଆମ ଗୌରବର ଧ୍ଵଜା ।
