ଇଚ୍ଛା ହୁଏ...
ଇଚ୍ଛା ହୁଏ...
ଇଚ୍ଛା ହୁଏ ଲେଖିବାକୁ ଅନେକ କିଛି
ମନେ ଉଙ୍କିମାରୁଥିବା ଅଭୁଲା ମୁହୂର୍ତ୍ତସବୁ
ନିଜ ଅସ୍ପଷ୍ଟ ଅତୀତର ।
ପରିଚୟ ଆଶାରେ କେତେ ଅସଜଡ଼ା ଶବ୍ଦ
ଅସ୍ତିତ୍ଵ ଜାହିର କରିବା ଲାଗି ଆଗେଇ ଆସନ୍ତି
ହୋଇ ଆଗଭର ।।
ଇଚ୍ଛା ହୁଏ ଚୋରେଇ ନେବାକୁ ପ୍ରତିକ୍ଷଣ
ବିଗତ ସମୟର ନିଆରା ସ୍ମୃତିଗୁଡା
ବିଚ୍ଛୁରିତ ସ୍ଵପ୍ନରାଜିର ।
ନିଛାଟିଆ ବର୍ତ୍ତମାନର ଭାବନା ସ୍ରୋତରେ
ଅମାନିଆ ମନ ନିର୍ଜୀବ ଦେହରେ କରେ
ମେଞ୍ଚାଏ ପ୍ରାଣର ସଞ୍ଚାର ।।
ଇଚ୍ଛା ହୁଏ ଚାଲିବାକୁ ଅବିରତ
ଜନାକୀର୍ଣ୍ଣ ଦୁନିଆର ଅଜଣା ପଥରେ
କରି ସଙ୍ଘର୍ଷ ଜିତିବାର ।
କଠୋର ସାଧନାର ଅନ୍ତରାଳେ
ଦିଗହରା ପଥିକ କଣ୍ଟକିତ ପଥରେ
କରେ ନୂତନ ସନ୍ଧାନର ଆବିଷ୍କାର ।।
ଇଚ୍ଛା ହୁଏ ତୋଳିବାକୁ ସ୍ବପ୍ନର ବାଲିଘର
ସମ୍ପର୍କର ବେଳାଭୂମିରେ ଯହିଁ ଗୁନ୍ଥା ଥିବ
ସ୍ନେହ ମମତାର ଡୋର ।
ସେହି ଆତ୍ମୀୟତାର ବନ୍ଧନରେ ବାନ୍ଧି
ଅତୁଟ ଅଭୟ ବଳୟ ସମ୍ପର୍କର
ଆଉ ମୁଳଦୂଆ ଶ୍ରଦ୍ଧା ବିଶ୍ବାସର ।।
ଇଚ୍ଛା ହୁଏ ହଜିବାକୁ ପ୍ରକୃତି ପ୍ରେମରେ
ଝରଣାର ଗୁରୁଗମ୍ଭୀର ଜଳପତ୍ତନରୁ
କୁଳୁକୁହୁକ ନିନାଦରେ ।
ଗୋଧୂଳି ସନ୍ଧ୍ଯା ମୁଖରିତ ପଲ୍ଲୀର
ଦିଗନ୍ତ ପ୍ରସାରୀ ସବୁଜିମା ସ୍ଵର୍ଣ୍ଣାଭ କ୍ଷେତ
ଆଉ ପକ୍ଷୀର କାକଳି ଶବ୍ଦରେ ।।
✍️ସୌମ୍ୟରଞ୍ଜନ ନାୟକ
🏚 ଖଲର୍ଦ୍ଦା, କଟକ
