ଅର୍ଦ୍ଧଶତାବ୍ଦୀର ଜୀବନ
ଅର୍ଦ୍ଧଶତାବ୍ଦୀର ଜୀବନ
ଅର୍ଦ୍ଧରାତ୍ରୀ ବୋଧେ ସରିଲାଣି
ଶେଯରେ ଆଲୁଳାମୟିତ କୁନ୍ତଳା
ପାଖ ଗୀର୍ଜାଘର ଘଣ୍ଟା
ସୁଚେଇ ଦେଲାଣି
ଅଧେ ରାତି ବାକି ରହିଛି ମୁକୁଳା
ଅର୍ଦ୍ଧ ଶତାବ୍ଦୀର ଜୀବନ ପରି
କେବେ ଅନ୍ଧାରୁଆ
ଦୁର୍ବଳ ମୁହୁର୍ତ୍ତରେ ଘେରା ମେଖଳା
ପୁଣି କେବେ କେବେ ସିନ୍ଦୁରିତ
ଛୋଟ ଛୋଟ ଖୁସି ଫୁଲମାଳା ।
ମନକୁ ଛୁଇଁଲା ପରି କେତେ କଥା
ଧସେଇ ପଶିଆସେ ଆବେଶେ ଅବଳା
ଆଣ୍ଠୁମାଡି ବସିଛି ସୁଖ
ମୁଣ୍ଡେଇ ଦୁଃଖ ଗଣ୍ଠିଲି
ଅଧା ସୁଖ ସହିତ ହାତ ମିଶେଇ
ଅଧା ଶୋକ ଗାଉଛି କବାଲି
ଅଧାଗଢ଼ା ସ୍ବପ୍ନମାନେ
ଅଧାକଞ୍ଚା ବିଶ୍ଵାସର ବିଛଣାରେ ଫୁଟାଣି
ଡହଳ ବିକଳ ଗଡାଣି
ଅନ୍ଧ ମଣିଷର ହୁକୁମାତି ପୁଣି
ଅର୍ଦ୍ଧାଧିକ ଜୀବନ ରାସ୍ତା ସରିଲାଣି
ମାଠିଆ ପୁର୍ତ୍ତା ଇଚ୍ଛା ଚହଲି ପଡୁଛି ବୁଣି
ପାଦ ହାତ ଥରିଲାଣି
ମୋଟା ଯବକାଚର ଚଷମା ପିନ୍ଧିଲିଣି
ମନେ ପଡୁନି କଥା କାହାଣୀ
ବଜାର ସଉଦା ଆଣିବାକୁ ଘରଣୀ
ତଥାପି ଇଚ୍ଛା ଫୁଟୁଛି
ଭାତ ହାଣ୍ଡି ପରି ଗବଗବ ଉଜାଣି
ମଞ୍ଜରେ ସାହସ ଅକାତକାତ ପାଣି
ମନରେ ହିମ୍ମତ ଅସୁମାରୀ ସ୍ବପ୍ନ ବିନ୍ଧାଣୀ
ପୂର୍ଣ୍ଣିତା ପ୍ରାପ୍ତିର ହୁଙ୍କାର ବିକାରି
ଅଧାଗଢ଼ା ଛାଞ୍ଚ ଛାଞ୍ଚୁଣି ଧରି ହସିଲାଣି
ଅଧାରେ ନ ସରୁ ସୁନା ଫସଲ
ରୂପେଲି ଇଛାର
ନ ହେଉ ଅକାଳ ମୃତ୍ୟୁ
ଅଧାରୁ ଅଧେ ପନ୍ଥା ସରିଲାଣି
ଅଲିଭା ଦାଗ ନ ଲାଗୁ
ସମର୍ପିତ ଜୀବନ ସେତୁ ।