ମୋ ରଫଖାତା
ମୋ ରଫଖାତା
କବିତା - ମୋ ରଫଖାତା
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୫-୨୦୨୬
+++++++++++++++
ସେ ଗୁପ୍ତଧନ ସେ ସୁପ୍ତଧନ
ଅନେକ ଅକୁହା କଥାର ସମାଧାନ
ଅସରନ୍ତି ଅସମାହିତ ପ୍ରଶ୍ନର ପରା ସେ ଗଣ୍ଠିଧନ
ସେ ମୋ ରଫଖାତା ସେ ମୋ ପ୍ରାଣସ୍ପନ୍ଦନ
ସେ ମୋ ଆଦ୍ୟ ଅତ୍ମଜୀବନୀ ଅସଂଖ୍ୟ ପରିସଂଖ୍ୟାନ
ସେ ମୋ ଚୁମ୍ବକୀୟ ଭାବନା ରାଇଜ ବାଳୁତବେଳର ମାନସମନ୍ଥନ
ସେ ଚିରା କଳେବର ସେ କୋଣମୋଡ଼ା ଅଧିଶ୍ଵର
ଅସନା କାଳିଦାଗ ତଳେ ପୃଷ୍ଠା ବଦଳେ ଚିତ୍ରାହାର
ସାର୍ ମ୍ୟାଡାମଙ୍କ ବ୍ୟଙ୍ଗଚିତ୍ର ଇସ୍ତାହାର
ସାଙ୍ଗ ସହ ସାଙ୍ଗର ନାଁ ଯୋଡେ ହସ ବଜାର
ପୃଷ୍ଠା ପରେ ପୃଷ୍ଠା ଚିରା ହୁଏ ଅନାୟାସେ
କେତେ ଦାଗ କେତେ ରଙ୍ଗ ତଳେ ଖେଳେ ଲୁଚକାଳି ଥରକୁ ଥର
ସେ ମୋ ଚିନ୍ତା ଚୈତାଳିରେ ହସକୁରୀ ମୀନାବଜାର
ସେ ମୋ ମାନସ କନ୍ୟା ସୁକୁମାରୀ ରତ୍ନଭଣ୍ଡାର
ସେ ଅସନା ଫଟା ତନୁ ସେ ଛୁଞ୍ଚି ସୂତାରେ ବନ୍ଧା ଅତନୁ
ସେ ପୁରୁଣା ମଇଳା କାଗଜ ସେ ହିସାବ ରଖେ ଅସହଜ
କେବେ ଚିରା ହୁଏ କାଗଜ ଡଙ୍ଗା
କେବେ ଟଣା ହୁଏ ଝାଲ ମୁଢ଼ି ଠୁଙ୍ଗା
କେବେ ପୁଣି ରାମ - ସୀତା ଖେଳ ପାଇଁ
କେବେ ତିଆରି ହୁଏ ବନ୍ଧୁକ ଗିନା କଢ଼େଇ
ସେ ମୋ ମଉଜ ଫଉଜର ବତୀଘର ମୋ ସ୍କୃତି ସାଉଁଟା ଅନ୍ଧାର
ସେ ମୋ ନୀତିବାଣୀରେ ଭରା ଗ୍ରନ୍ଥାଗାର ସେ ମୋ ଶ୍ରୁତଲିଖନ ପାରାବାର
ସ୍ଥାନାନ୍ତରଣ ଅବକାଶେ ଖୋଜୁ ଖୋଜୁ
ହାତରେ ଧରିଥିଲି ମୋ ରଫ ଖାତା
ସତରେ --
ହେଲେ ହେଁ ମଇଳା କଳେବର
ମୂକସାକ୍ଷୀ ମୋ ଅତୀତ ଇତିହାସର
ଶିଳାଲିପି ମୋ ଅବ୍ୟବସ୍ଥିତ ଜୀବନର
