ସ୍ମରଣୀୟ ସମର୍ପଣ
ସ୍ମରଣୀୟ ସମର୍ପଣ
କବିତା - ସ୍ମରଣୀୟ ସମର୍ପଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୬-୨୦୨୬
++++++++++++++++!
ଅକାଳେ ସକାଳେ
ପୁରୁଣା ଟ୍ରଙ୍କ ଖୋଲୁଥିବା ବେଳେ
ଅନ୍ୟ କିଛି ଖୋଜୁଥିବା ବେଳେ
ପୁରୁଣା ମଇଳା ଚିଠି ସବୁ ହାତରେ ବାଜିଗଲେ
ଆଙ୍ଗୁଳି ପାପୁଲି ତ ମଇଳା ହୁଏ ସତ
ଧୂଳି ମଳିରେ ହାତ ଅସନା ହୁଏ ସତ
କିନ୍ତୁ ଅନ୍ୟ ଏକ ଅହେତୁକ କମ୍ପନ ବି ହୁଏ
ସତେ ଯେମିତି ସେହି ଚିଠି ଭିତରୁ
ମୋ ନାଁ ଧରି ଡାକୁଛି କିଏ
ମୋର ମାନ ସମ୍ମାନରେ ଭୃକୁଞ୍ଚନ ବି କରାଏ
ସେହି ହାତଲେଖା ଗୋଲ ଗୋଲ ଅକ୍ଷର ମାନେ
କଥା ହେଉଛନ୍ତି ବକର ବକର
ମୋ ସହିତ ମନ ଖୋଲା ଚବର ଚବର
ସେମିତି କିଛି ସିଧା ସିଧା ଶବ୍ଦ-ପଦ ବା ଛନ୍ଦ ନ ଥାଏ
ଭଲ ପାଇବା , ସ୍ନେହ ଓ ପ୍ରେମର
ମାତ୍ର ପ୍ରତ୍ୟେକ କମାରେ ତଥା ପୂର୍ଣ୍ଣ ବିରାମରେ
ଲୁଚି ରହିଥାଏ ପରୋକ୍ଷରେ
ବାରି ପଡ଼ିଯାଏ ପ୍ରତ୍ୟକ୍ଷରେ
ଛାତି ନିଗିଡ଼ା ଅନନ୍ତ ପ୍ରତୀକ୍ଷା ଅପେକ୍ଷାର ଇସ୍ତାହାର
ଆଜି ମୋବାଇଲରେ ଶବ୍ଦର ମ୍ୟାସେଜ ପଟୁଆର
ଚାଟିଙ୍ଗ୍ ମାଧ୍ୟମରେ ଅନେକ ଶବ୍ଦ ଚିତ୍ରାହାର
କିନ୍ତୁ କାହିଁ ସେ ହାତଲେଖା ଚିଠି ପରି ଭାବନା ବିନ୍ୟାସ
କାହିଁ ସେ ନିରୋଳା କଳ୍ପନାମୟ ମଧୁର ଉନ୍ମେଷ
କାହିଁ ସେ ଆଘ୍ରାଣରେ ସ୍ନେହମୟ ସମର୍ପଣ ପରିବେଶ
କାହିଁ ସେ ପାଖକୁ ପାଖ ବସିଥିବାର ଛଦ୍ମ କଳ୍ପବେଶ
କାହିଁ ସେ ଶବ୍ଦ ଆଇନାରେ
ସିଧା ପ୍ରସାରିତ ପ୍ରତିବିମ୍ବିତ ମଧୁ ସନ୍ଦେଶ
ଅବଶ୍ୟ ଚିଠିଗୁଡ଼ିକ ହେଲେଣି ପୁରୁଣା
କିନ୍ତୁ ପୁରୁଣା ସାଇତା ମଦ ଗଦ ସଂପଦ ପରି
ପ୍ରେମ ପ୍ରତିଜ୍ଞାକୁ କରି ପାରନ୍ତି ମାଦକଭରା ଅବଧାରଣା
କହିବାରେ କି ପାଇବାରେ ନ ଥାଏ ପ୍ରେମ ପାଉଣା
ସେହି ଅକ୍ଷର ମାନଙ୍କୁ ପଢୁ ପଢୁ
ସ୍ଵତଃସ୍ଫୁର୍ତ୍ତ କାନ୍ଦି ପକେଇବା ବି
ବୋଧେ ପ୍ରେମ ଭରଣା ଝରଣା ଗହଣା
ଡିଜିଟାଲ ଯୁଗରେ ବି
ଭୋଗ ନୁହଁ ଶବ୍ଦ ସ୍ଫୁରଣ ମାତ୍ରକେ ଅଶ୍ରୁ ବର୍ଷଣ ତର୍ପଣ
ବୋଧେ ଶ୍ରେଷ୍ଠତମ ପ୍ରେମ ସ୍ମରଣ ସ୍ମରଣୀୟ ସମର୍ପଣ
