ସନ୍ତୁଷ୍ଟ ମନ-ଚୈତନ
ସନ୍ତୁଷ୍ଟ ମନ-ଚୈତନ
କବିତା - ସନ୍ତୁଷ୍ଟ ମନ-ଚୈତନ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୬-୨୦୨୬
++++++++++++++++
ଓଜନ ବଢ଼ୁଛି ଯେତେ, ଆହାର ପଶୁଛି ସେତେ
ଖଟ-ଖଟୁଲି ଖାଇଲ ,ହାଣ୍ଡି - କଢ଼ା ଚାଟି ଖାଇଲ
ଲମ୍ବା ଲମ୍ବା ହାକୁଟି ମାଇଲ, ପେଟ ଫୁଲେଇ ଘୁଙ୍ଗୁଡ଼ି ମାରିଲ
ଆଉ କ'ଣ ସବୁ ଛେନା ଛତୁ ଖାଇଲେ
ମାଂସ ପଲଉ ଗେଫିଲେ
ତୁମ ମନ ସନ୍ତୁଷ୍ଟ ହେବ ,କହିବ କି ମୋତେ ?
ଜ୍ଞାନ ବିଜ୍ଞାନ ପ୍ରସାର ଯେତେ , ଅନ୍ଧ ଅନୁକରଣ ମାଡୁଛି ସେତେ
ମାଳମାଳ ପୁରସ୍କାର ବେକରେ , ଗଦାଗଦା ମାନପତ୍ର ହାତରେ
ସଂବାଦପତ୍ରରେ ପ୍ରଥମ ପୃଷ୍ଠାରେ , ସାମାଜିକ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ଦିଗରେ
ଆଉ କେତେ ପାଇଲେ ଗୋଟେଇଲେ ଗଣ୍ଢେଇଲେ
ତୁମ ମନ ସନ୍ତୁଷ୍ଟ ହେବ , କହିବ କି ମୋତେ ?
ବୟସ ବଢୁଛି ଯେତେ , ଲୋଭ ଗ୍ରାସୁଛି ସେତେ
ଯଶ ମାନ ସମ୍ମାନ କନକ, ଧନ ସମ୍ପଦ କୋଠା ଅନେକ
ସୁନା ରୂପା ଗହଣା ଅମାପ , ବ୍ୟାଙ୍କରେ ଗଛିତ ମୁଦ୍ରା ବାପ୍ ରେ ବାପ
ଆଉ କେତେ ଅଧିକ ଗୁପ୍ତଧନ ସଞ୍ଚୟ କଲେ
ତୁମ ମନ ସନ୍ତୁଷ୍ଟ ହେବ , କହିବ କି ମୋତେ ?
ସଂପର୍କ ବଢ଼ୁଛି ଯେତେ, ଗର୍ବ ଗର୍ବାଣୀ ମାଡୁଛି ସେତେ
ଅର୍ଥ ଲୁଣ୍ଠନ ବଣ୍ଟନ ଯେତେ, ଅନର୍ଥର ବିଷମଞ୍ଜି ପୋତିବ ସେତେ
ସ୍ୱାର୍ଥନ୍ଵେଷୀ ଆଚାର ବ୍ୟବହାର ଯେତେ , ଛୋଟ ମୋଟ କଥା କାଟେ ଫାଟେ ସେତେ
ଆଉ କେତେ ଅଧିକ ସ୍ୱାର୍ଥ ସାଉଁଟି ଆଭଟି ପାରିଲେ
ତୁମ ମନ ସନ୍ତୁଷ୍ଟ ହେବ , କହିବ କି ମୋତେ ?
ଆୟୁଷ ବଢ଼ୁଛି ଯେତେ , ପ୍ରୟାସ ଦୌଡୁଛି ସେତେ
ନୂଆ ଯୋଜନା ଜୁଝୁଛି ସେତେ, ନୂଆ ଫନ୍ଧି ଫିକର ମୁଣ୍ଡ ଟେକୁଛି ସେତେ
ଆଉ କେତେ ପ୍ରୟାସ ନିର୍ଯ୍ୟାସ କଲେ
ତୁମ ମନ ସନ୍ତୁଷ୍ଟ ହେବ , କହିବ କି ମୋତେ ?
ସମୟ ସରୁଛି ଯେତେ , ମଣିଷ ଧାଉଁଛି ସେତେ
ଭାବନାରେ ଉତ୍ତରଣ ଆସୁଛି ଯେତେ , କଳ୍ପନାରେ ଲୋଭ ଦିଶୁଛି ସେତେ
ତୁଣ୍ଡରେ ଜିତିବାର ଗୌରବ ଯେତେ , ମୁଣ୍ଡରେ ଠକେଇବାର ପ୍ରପଞ୍ଚ ସେତେ
ଆଉ କେତେ ଅଧିକା ଅଧିକାରୀ ସତ୍ତ୍ଵାଧିକାରୀ ହେଲେ
ତୁମ ମନ ସନ୍ତୁଷ୍ଟ ହେବ , କହିବ କି ମୋତେ ?
ଅର୍ଥ ବଢ଼ୁଛି ଯେତେ , ଅନର୍ଥ ଦୌଡୁଛି ସେତେ
ବ୍ୟଭିଚାର ବଢ଼ୁଛି ଯେତେ , ଭ୍ରଷ୍ଟାଚାର ଗଡୁଛି ସେତେ
କଳାବଜାରୀ ମାଡୁଛି ଯେତେ, ଠକେଇ ବମ୍ବାଟି ଚଢ଼ୁଛି ସେତେ
ଆଉ କେତେ କଳାଧନ ଗଚ୍ଛିତ ସଞ୍ଚିତ ହେଲେ
ତୁମ ମନ ସନ୍ତୁଷ୍ଟ ହେବ , କହିବ କି ମୋତେ ?
ମୋତେ ବା କାହିଁକି ଆପଣ ମାନେ କହିବେ?
ନିଜ ବିବେକକୁ ପଚାରି ନେବେ
ନିଜ କରୁଣାସିକ୍ତ ଚେତନା ଆଗରେ ଥୋଇ ଦେବେ
ଦେଖିବେ ହେଜିବେ ବୁଝିବେ ଭାବୁଛି ଚିନ୍ତା ପ୍ରସାରୀ
କ୍ଷଣଭଙ୍ଗୁର ଜୀବନରେ
ଶାନ୍ତ ମନ ପବନ ଭିତରେ
ଜଞ୍ଜାଳ ମୁକ୍ତ ଭାବନା ଚେତନାରେ
ସନ୍ତୁଷ୍ଟ ଚୈତନ କେତେ ଜରୁରୀ କେତେ ଦରକାରୀ
