ନିଃଶ୍ୱାସ ଆଉ ପ୍ରଶ୍ୱାସର ଦୋଛକିରେ ଜୀବନ
ନିଃଶ୍ୱାସ ଆଉ ପ୍ରଶ୍ୱାସର ଦୋଛକିରେ ଜୀବନ
ଏ ଜୀବନ ହେଉଛି
ନିଃଶ୍ୱାସ ଆଉ ପ୍ରଶ୍ୱାସର
ଏକ ପ୍ରବହମାନ ଗତି l
ନିଃଶ୍ୱାସ ଆଉ ପ୍ରଶ୍ୱାସର
ସ୍ୱୟଂ ଆତଯାତ ଭିତରେ
ଅଦୃଶ୍ୟତାର ଅନୁଭବତାରେ
ଏ ଜୀବନ ଚାଲିଛି, ତା'ର ଅସ୍ତିତ୍ବକୁ ଜାବୁଡି ଧରି
ନିଜ ସତ୍ତାର ପରିବେଷ୍ଟନୀରେ
ଏକ ମାଟି ଘଟର ରକ୍ତ ମାଂସ ଅବୟବ ଭିତରେ
ନିଜର ସ୍ୱରୂପକୁ ଆବଦ୍ଧ କରି l
ମାୟାର ପ୍ରଲେପକୁ ସର୍ବାଙ୍ଗରେ ବୋଳିହୋଇ
କାମନାର କୁହୁକରେ
ଆଶା ଆଉ ଅବଶୋଷର ଅଭିସନ୍ଧିରେ
ଜିଇଁବାର ଅଭେଦ୍ୟ ଲାଳସାରେ
ଏ ଜୀବନ ଖୁବ୍ ଅଭ୍ୟସ୍ତ l
କାମ, କ୍ରୋଧ, ଲୋଭ, ମୋହ, ମଦ ଆଉ ମାତ୍ସର୍ଯ୍ୟର
ଏକ ବାଧିତ ସଂସର୍ଗରେ ଏ ଜୀବନର ଉନ୍ମେଷ
ଜନ୍ମରୁ ଜନ୍ମ ପର୍ଯ୍ୟନ୍ତ
ଏକ ଚିରାଚରିତ ଢଙ୍ଗରେ
ବିଧିର ସରଂଚନାକୁ ଅବଲୋକନ କରି
ପ୍ରବୃତ୍ତିକୁ ଆପଣେଇ ନେବାର ମାନସିକତାରେ
ଭଲ ଆଉ ମନ୍ଦର ମିଛ ବିଚାର ବିମର୍ଷତାରେ
ସବୁ କିଛିକୁ ଜାଣି ମଧ୍ୟ
ଏ ଜୀବନ ବେଳେ ବେଳେ
ଷଡ଼ରିପୁର କୁଟିଳ ଚକ୍ରାନ୍ତରେ ପ୍ରଲୁବ୍ଧ ହୋଇ
ସର୍ବନାଶର ସଦର ଦୁଆରେ
ନିଜେ ନିଜର ଅସ୍ତିତ୍ବକୁ ହରେଇ ବସେ
ମୃତ୍ୟୁର ଉପାଖ୍ୟାନ ଶୀର୍ଷକରେ
ଏକ କଳଙ୍କିତ ଅଧ୍ୟାୟଟିଏ ଲେଖିଦେଇ l
ପୁଣି ନିଜ କର୍ମ ଫଳର ପ୍ରତିଦାନ ହେଉ
କି ନିଜ ଲିପିବଦ୍ଧ ଭାଗ୍ୟର ପ୍ରତିଫଳନ ହେଉ
କାହିଁକି କେଜାଣି
ବେଳେ ବେଳେ ଏ ଜୀବନ ଜିଇଁ ଥାଇବି ମୃତ୍ୟୁସମ ପାଲଟିଯାଏ l
ଦ୍ଵନ୍ଦ ଆଉ ପ୍ରଶ୍ନବାଚୀର ବୁଢିଆଣୀ ଜାଲ ଭିତରେ
ଗୁଡେଇ ତୁଡେଇ ହୋଇ
ନିଃଶ୍ୱାସ ଆଉ ପ୍ରଶ୍ୱାସର ଦୋଛକିରେ
ଦୋଦୁଲ୍ୟମାନତାର ଏକ ବିକ୍ଷିପ୍ତ ବଳୟ ଭିତରେ
ଅନେକ ଘାତ ଆଉ ପ୍ରତିଘାତର ଜଟିଳତାକୁ
ନିଜ ଭିତରେ ସାମ୍ନା କରୁ କରୁ
ହଠାତ୍ ମନେହୁଏ
ଏ ଜୀବନ ଏକ ଅଭିଶାପ ନା ଆଶୀର୍ବାଦ?
