STORYMIRROR

Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ଗୃହ ବନ୍ଦୀ

ଗୃହ ବନ୍ଦୀ

2 mins
421


କେବେ କେବେ ଭାବିଲେ ବି ଏମିତି ଲାଗେ, 

ଯେମିତି କି ଏବେବି ଜୀବନର କିଛି ପ୍ରଶ୍ନ ଉତ୍ତର ମାଗେ

ଅତୀତ କୁ ଫେରି ଚାହିଁ ଯେବେ କେହି ଦେଖେ, 

ହଜିଛି ବି କିଛି ପ୍ରଶ୍ନ, ସେ ଅତୀତ ର ବି ଗର୍ଭେ

ତଥାପି ବୁଝେନା ଏ ମନ, ଖୋଜିବାକୁ ଲାଗେ, 

ଅତୀତ ର ସେହି ସ୍ମୃତି କୁ ଉତ୍ତରଦାୟୀ ଭାବେ

ଆଦିମ କାଳରୁ ତ ନ ଥିଲା ଏମିତି ଅବସ୍ଥା, 

ଚାରିଦିଗ ଖୋଲା ଥିଲା, ଦେଉଥିଲା ରାସ୍ତା

ଧୀରେ ଧୀରେ ପ୍ରକୃତି ଓ ପ୍ରକୃତି ମଧ୍ୟେ ହେଲା ମତାନ୍ତର, 

ସୁପ୍ତ ଶୀତଳ ଯୁଧ୍ୟ ସୃଷ୍ଟି କଲା ସମ୍ପର୍କ ରେ ଅନେକ ଅନ୍ତର

ଆଗେ ଯେ ମନୁଷ୍ୟ ଥିଲା ସ୍ୱାଧୀନ, ପ୍ରକୃତି ପ୍ରିୟ, 

ସେ ଏବେ ବର୍ତ୍ତିବାକୁ ତା କୋପରୁ ଅଟେ ଗୃହବନ୍ଦୀ ପ୍ରାୟ........ 


ନିଜ ସ୍ଵାର୍ଥେ ଅନ୍ଧ ହୋଇ ମାନବ ଆଜି କରୁଛି ଖେଳ, 

ସ୍ରଷ୍ଟା ର ସୃଷ୍ଟି କୁ ସେ ନଷ୍ଟ କରେ ଭାଙ୍ଗି ସବୁ ମେଳ

ଆଧୁନିକତା ର ଢାଲ ଧରି ପ୍ରକୃତିକୁ କରେ ଆକ୍ରମଣ, 

ବିଜ୍ଞାନ ର ପ୍ରୟୋଗ କରି ହୁଏ ତା କ୍ରୋଧର କାରଣ

ଯେବେ ପୁଣି କରେ ସେ ଶିଳ୍ପ ବିକାଶ ର ଉଦ୍ୟମ, 

ନଷ୍ଟ କରେ ପ୍ରକୃତିକୁ, କେମିତି ବା ସାହିବ ଏ ଧର୍ମ

କ୍ରୋଧରେ ଉତପ୍ତ ହୁଏ ଜଳବାୟୁ, ଦିଏ ଅନେକ ଯନ୍ତ୍ରଣା, 

ରୁଦ୍ଧ ଦ୍ୱାରେ ବସି ଗୃହ ବନ୍ଦୀ ସମ ମନୁଷ୍ୟ କରେ ଅନେକ ମନ୍ତ୍ରଣା

ସୁଖେ ନଈ ନାଳ, ଜଳ ବିନୁ ମଚେ କେତେ ହାହାକାର, 

ତଥାପି ବୁଝେନା ଏ ମନୁଷ୍ୟ,ଖୋଜେ ଏଥିରୁ ଉପଚାର

ଭୂମି କୁ ଖନନ କରି ସେ ଯୋଗାଡ କରଇ ଜଳ, 

ଶୀତତାପ ନିୟନ୍ତ୍ରଣ କକ୍ଷେ ଗୃହ ବନ୍ଦୀ ହୋଇ କାଟେ କାଳ............ 


ଏତିକିରେ ହୁଏ ନାହିଁ ମନୁଷ୍ୟ ର ଆତ୍ମା କେବେ ଶାନ୍ତ, 

ଆଚରଣ ବଦଳାଇ ଦୁନିୟା କୁ କରେ ସେ ବିଭ୍ରାନ୍ତ

ଇତିହାସ କହେ ଅତୀତ ରେ ଘଟିଛି ଅନେକ କଥା, 

ସ୍ୱାର୍ଥପର ହୋଇ ଏ ମାନବ ଗାଇଛି ଅଧର୍ମ ର ଗାଥା

ଗର୍ବ, ଅହଙ୍କାର ଓ ହିଂସା କୁ ଆଦରି ସେ ନେଇଛି, 

କ୍ଷମତା ଲୋଭରେ ପୁତ୍ର ଯେ ପିତା କୁ ଗୃହ ବନ୍ଦୀ କରିଛି

ଖାଲି ସେତିକିରେ ଭରିନି ତା ଆଶା ଓ ଆକାଂକ୍ଷା, 

ନ୍ୟାୟ, ଧର୍ମ ଓ ସତ୍ୟ କୁ ସେ କରିଛି ଉପେକ୍ଷା

ଏବେ ସ୍ୱାଧୀନ ରାଷ୍ଟ୍ର ରେ ଆସିଛି ରାଜନେତା ଙ୍କ ବେଳ, 

କ୍ଷମତା ଲୋଭରେ ଅନ୍ୟକୁ ଗୃହ ବନ୍ଦୀ କରି କରନ୍ତି ଖେଳ

ସମାଜରେ ଅଭିଜାତ୍ୟ ର ମିଥ୍ୟା ପ୍ରତିଷ୍ଠା ର ଲାଗି, 

ବୃଦ୍ଧ ପିତା ମାତା ଗୃହ ବନ୍ଦୀ, ହୁଅନ୍ତି ଯାତନାର ଭୋଗୀ.......... 


ଏତେ ସବୁ ଦେଖି ଆଜି ବିଧାତା ବି କରିଛି ରୋଷ, 

ସବୁ କିଛି ଏବେ ଲାଗଇ ତାକୁ ଯେପରି ବିଷ 

ମନୁଷ୍ୟ ତ ଲଙ୍ଘି ସବୁ ସୀମା ଅଧର୍ମୀ ହୋଇଛି, 

ସବୁ ତ ଏ ସ୍ରଷ୍ଟାଙ୍କର ସୃଷ୍ଟି କୁ ହାନି ପହଞ୍ଚାଇଛି

ତେବେ ତ ବିଧାତା ଏବେ ନେଲେ ବଡ଼ ନିର୍ଣ୍ଣୟ, 

ଶାସ୍ତି ଦେବା ଲାଗି ଆଜି ହେଲେ ସେ ବି ନିର୍ଦୟ

ଲାଗେ ସତେ ସେ ଧର୍ମ ଓ ନ୍ୟାୟ ର ରକ୍ଷା ଲାଗି, 

ଅସ୍ତ୍ର କଲେ ମହାମାରୀ କୁ, ଗଲେ କି ସେ ରାଗି !

ନିଜେ ଗୃହ ବନ୍ଦୀ ହୋଇ ଏବେ ରହିଲେ ମନ୍ଦିର ଭିତରେ, 

ତାଙ୍କ ଦରଶନ ଲାଗି ଭକ୍ତ ଯେ ଡାକଇ ବଡ଼ ଆତୁରେ

ଏ ମହାମାରୀ ଆଜି ମାତିଛି ନେଇ ବିକଟାଳ ରୂପ, 

ଭୟେ ଗୃହ ବନ୍ଦୀ ମାନବ, କରୁଛି କି ସେ ଅନୁତାପ ?????


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy