STORYMIRROR

Sambit Srikumar

Tragedy Inspirational

4  

Sambit Srikumar

Tragedy Inspirational

ଗୋମାତାର କ୍ଷୋଭ

ଗୋମାତାର କ୍ଷୋଭ

2 mins
495


ବାଃ ବାଃରେ ମଣିଷ!

ଧନ୍ୟ ତୁମ୍ଭ ମଣିଷପଣିଆ

ଧନ୍ୟ ତୁମ୍ଭ ମାତୃଭକ୍ତି

ଧନ୍ୟ ତୁମ୍ଭ ଧର୍ମନୀତି

ଧନ୍ୟ ତୁମ୍ଭ ମଣିଷ ଜାତି!!

ଯେବେ ଯାଏଁ ମୁଁ ଥିଲି ସକ୍ଷମ

ଝରାଉଥିଲି ଅମୃତର ଧାରା

ସେବେ ଯାଏଁ ଥିଲି ମୁଁ ଗୋମାତା

ଥିଲା ମୋ ପ୍ରତି ତୁମ୍ଭର ପ୍ରଗାଢ଼ ମମତା

ତୁମ୍ଭେ କରୁଥିଲ ସେବା ପୂଜା ମୋର

ଗୋରସ - ଗୋମୟ - ଗୋମୂତ୍ର

ବାସୁଥିଲା ମହ ମହ ଦିବ୍ୟ ଭବ୍ଯ ଚିନ୍ତନରେ

ସବୁ ଥିଲା ତୁମ୍ଭ ଲାଗି ଶୁଦ୍ଧ ପୁତ ପବିତ୍ର

ମୋ ବିନା ଅଧୁରା ଥିଲା ତୁମ୍ଭର

ହୋମ ଯଜ୍ଞ ପୂଜାପାଠ ପଞ୍ଚାମୃତ!!

ଘାସକୁଟା ଚୁନି ଚୋକଡ କୁଣ୍ଡା ତୋରାଣି

ସବୁଜ ପତ୍ରଲତା ସବୁ ଥିଲା ଦିନରାତି

ମୋ ପାଇଁ ଖଞ୍ଜା ଅତି ସରାଗରେ

ମାଛିଟିଏ ବସି ପାରୁନଥିଲା ମୋ' ଦେହରେ

ବଢିଥିଲି ଆଦରରେ ତୁମ୍ଭ ଗୃହ ଆଙ୍ଗନରେ

କଟୁଥିଲା ଦିନ ମୋର ମହା ଆନନ୍ଦରେ!!

ତୁମ୍ଭ ଶାସ୍ତ୍ର ପୁରାଣ ଉପନିଷଦରେ

ମୋ ମହିମା ମହାତ୍ମ୍ୟ ବିସ୍ତୃତେ ବର୍ଣ୍ଣିତ

ଭୁଲିଗଲ କି ଗୁରୁଜ୍ଞାନ ଅର୍ଥ ମୋହେ

ହୋଇଗଲ ଚକ୍ଷୁଷ୍ମାନ ଅନ୍ଧ

ଯତ୍ କିଞ୍ଚିତ୍ ଅର୍ଜିତ ପୂଣ୍ୟକୁ ଲୁଟାଇଲ

ମହାପାପରେ ହୋଇ ଭାଗୀଦାର!!

ଯେବେ ମୁଁ ହୋଇଗଲି ବାୟୋବୃଦ୍ଧା

ସାଜିଲି ଅପାଂକ୍ତେୟା ପରିତ୍ଯକ୍ତା

ଆପଣାର ଜନ୍ମଦାତ୍ରୀ ଜନନୀକୁ

ତ ତୁମ୍ଭେ ପର କରି ଘରୁ ତଡି ଦେଇ

ଛାଡ଼ିଛ ଅସହାୟ ଭାବେ ଜରାଜୀର୍ଣ୍ଣ ଜରାଶ୍ରମରେ

ମୋତେ ହେଲେ କରି ଦେଇଥାନ୍ତ ମୁକ୍ତ ଦଉଡିରୁ

ତୁମ ମିଛ ମାୟା ମମତାର ଅଳିକ ବନ୍ଧନରୁ

ବାହାରେ ଗୋଚର ଭୁଇଁରେ ଚରିବୁଲି ମୁଁ ବଞ୍ଚିଥାନ୍ତି

ଆପଣା ଇଛାରେ ବୈକୁଣ୍ଠ ପ୍ରାପ୍ତିର ଆଶାରେ!!

ମୁଁ ତ ମାଗୁନଥିଲି ତୁମ୍ଭକୁ ସରପୁଳି ଚକୁଳି

ହୋଇଗଲି କି ବୋଝ ତୁମ୍ଭର ଉପରେ?

କେଇଟା ଟଙ୍କାର ବିନିମୟରେ

ସୌଦା କରିଦେଲ ତୁମ୍ଭ ଗୋମାତାର

ମୋ' ଆଗତ ଭବିଷ୍ଯ ନକରି ବିଚାର

ମୋର ଶେଷ ଆଶ୍ରୟ କି କଂସେଇର ପୁର?

ହୋଇ ଲହୁଲୁହାଣ ହତଶିରୀ

ହେଉଛି ମୁଁ ପୁଣି ଦେଶାନ୍ତରୀ

ସହିବାକୁ ନର୍କର ଯନ୍ତ୍ରଣା କଷଣ

କହିବି କାହା ଆଗେ ଦୁଃଖ

ସବୁ ଦୋଷ ତ ମୋ ଭାଗ୍ୟର

ମୋର ଏଇ ଇତର ପ୍ରାଣୀ ଜନ୍ମର!!

ଏଇ କି ପ୍ରତିଦାନ ମୋ ଅମୃତ ରସର?

ମୋର ଅଯାଚିତ ବାତ୍ସଲ୍ୟ ମମତାର?

ଧନ୍ୟ ଧନ୍ୟ ତୁମ୍ଭେ ନରରୂପୀ ଅସୁର

କୃତଘ୍ନ ଦ୍ବେତମାନଦଣ୍ଡଧାରୀ ସ୍ବାର୍ଥପର

ଧନ୍ୟ ତୁମ୍ଭ ତଥାକଥିତ ନୀତି ନ୍ୟାୟ

ସବୁ ଧର୍ମକୁ କେବଳ ଆଖିଠାର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy