ପାର୍ଥକ୍ୟ:କାଲି ଆଉ ଆଜି ଭିତରେ
ପାର୍ଥକ୍ୟ:କାଲି ଆଉ ଆଜି ଭିତରେ


କାଲି ଥିଲା ଯାହା
ଆଜି ନାହିଁ ତାହା
ବଦଳି ଯାଇଛି କିଛି
କାଲିର ଖୁସିଟା
ଆଜିପାଇଁ କାହିଁ
ଲୁହକୁ ନେଇଛି ବାଛି ll
କାଲିର ନିଃଶ୍ୱାସ
ପ୍ରଶ୍ୱାସର ଦ୍ୱାର
ଆଜି କାହିଁ ହେଲା ରୁଦ୍ଧ
ଏ କି ଥିଲା ତା'ର
ସମୟ ସାରଣୀ
ଭାବନାରେ ଆଣେ ଦ୍ଵନ୍ଦ ll
କାଲି ଥିଲା ଯେଉଁ
ଖୁସିର ସଂସାର
ଆଜି ଗଲା ଦୁଃଖେ ଭରି
କାଲିର ସପନ
ସ୍ୱପ୍ନରେ ରହିଲା
ଆଶା ସବୁ ଗଲା ମରି ll
ଅଧା ରହିଗଲା
ଏ ଜୀବନ ବାଟ
ଆଉ କିଛି ଥିଲା ବାକି
ଚାଲୁ ଚାଲୁ ଗଲା
ପ୍ରାଣ ଦୀପ ଲିଭି
କିଏ ନେଇଗଲା ଡାକି ll
ସରିଗଲା ସବୁ
ଖୁସିର ପୁଲକ
ଅଫେରା ଅତୀତ ହୋଇ
ଆଉ କି ଫେରିବ
ସେ ମୁଖ ମଣ୍ଡଳ
ମମତାର ସ୍ନିଗ୍ଧ ଛାଇ ll
ଆଜି କାଲିର ଏ
ମଣିଷ ଜୀବନ
ନୁହଁଇ ଭରସା ଯୋଗ୍ୟ
କେଉଁ ମୁହୂର୍ତ୍ତରେ
ହେବ ତା'ର ଅନ୍ତ
ଭରସା କେବଳ ଭାଗ୍ୟ ll