ପ୍ରାଣ ପକ୍ଷୀ
ପ୍ରାଣ ପକ୍ଷୀ


ଏ ଶରୀର ବୃକ୍ଷରେ ପ୍ରାଣ ପକ୍ଷୀଟିଏ
ବାନ୍ଧିଛି ବସା
କେତେବେଳେ ଯିବ ଉଡିରେ ମନୁଆ
ତାକୁ ନାହିଁ ଭରସା l
ଜୀବ ପରମର ମଝିରେ ସେ ତ
କରିଛି ଘର
ନାହିଁ ରୂପରେଖ କରେ ସେ ନିତି
ଶୂନ୍ୟେ ବିହାର l
ଏ ଶରୀର ବୃକ୍ଷର ଗର୍ଭରେ ସେ ତ
ଅଟଇ ଘଟ
ତା'ର ବିନା ଏଇ ଶରୀର କରେ
ମୃତ୍ୟୁକୁ ଭେଟ l
ଇନ୍ଦ୍ରିୟ ଯେତେକ ଅଟନ୍ତି ବୃକ୍ଷେ
ଶାଖା ପ୍ରଶାଖା
ଏ ଶରୀର ବୃକ୍ଷର ମଧ୍ୟରେ ଯେହ୍ନେ
ହୋଇଛି ଯୋଖା l
ଦୁଃଖ ଅବସାଦ ଘେରିଲେ ବୃକ୍ଷ
ପଡେ ଝାଉଁଳି
ଆଶା ଅବଶୋଷ ଦାଉରେ ସଦା
&nbs
p;ହୁଏ ବାଉଳି l
ନିଃଶ୍ଵାସ ପ୍ରଶ୍ୱାସ ଆହାର ଖାଇ
ଏ ପ୍ରାଣ ପକ୍ଷୀ
ଚାଲିଛି ନୀରବେ ନିଃଶବ୍ଦେ ତାକୁ
ହୁଏନି ଦେଖି l
ଅନୁଭବେ ସଦା ସର୍ବଦା ବୃକ୍ଷ
ମଧ୍ୟେ ବୁଲଇ
ଚାହୁଁ ଚାହୁଁ ନୀଡ଼ ଛାଡ଼ିଣ ନିଜ
ପଥେ ଫେରଇ l
ଏ ପ୍ରାଣ ପକ୍ଷୀଟି ଶରୀର ଯେବେ
ଯିବଟି ଛାଡି
ବୃକ୍ଷ ସମ ଏଇ ଶରୀର ଯିବ
ଜୀବନ ହୁଡ଼ି l
ଦୃଶ୍ୟହୀନ ଏଇ ପକ୍ଷୀଟି ବନ୍ଧୁ
ନୁହେଁ କାହାର
ଦେଖେ ନାହିଁ ସେ ତ ବୟସ କିଏ
ଆପଣା ପର l
ଏ ଶରୀର ବୃକ୍ଷଟି ତାହାର ଅଟେ
ଅସ୍ଥାୟୀ ବାସ
ଫେରିଯିବ ନିଜ ସ୍ଥାନକୁ ତାକୁ
ହେଲେ ନିର୍ଦ୍ଦେଶ l