ଆକାଶ କୁସୁମ
ଆକାଶ କୁସୁମ
କବିତା - ଆକାଶ କୁସୁମ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୬-୨୦୨୬
++++++++++++++++
ତୁମେ ସରାଗରେ ଆଙ୍କୁଥିଲ
ଘର ଅଗଣାରେ ଝୋଟି ମୁରୁଜ
ଝିନ ବସନରେ ଅତି ଯତନରେ
ଲାଜେଇ ଯାଉଥିଲା ଅସ୍ତ ସୁରୁଜ
ମୁଁ କାନ ପାଖରେ କହିଦେଲି
ଆମ ଅଗଣାରେ କେବେ ଝଲସିବ
ତୁମ ଲକ୍ଷ୍ମୀପାଦ
ଆଖି ଆଖିରେ ସେଦିନ ଫୁଟିଥିଲା ପଦ୍ମପାଦ
ସେହି ଭାବ ବିନିମୟରେ ଥିଲା
ଅନାବିଳ ପ୍ରେମର ସ୍ନେହ ସ୍ଵାଦ ସମ୍ବାଦ
ମାର୍ଗଶୀର ମାସ ଆଉ ଆସି ନ ଥିଲା
ଆମ ଜୀବନରେ
ହୃଦୟ କାନ୍ଥଟା ଟାଙ୍ଗରା ଭୂଇଁ ପରି ପଡି ରହିଲା
ଆମ ସ୍ମୃତି ବଳୟରେ
ଧେତ୍ ! ଏ ସବୁ ଫୁଲ ଫଗୁଣର ଭାବ ସଂପର୍କ
କ୍ଷଣ କ୍ଷଣକେ ଆନ
କେବେ ଫୁଟାଏ କାଗଜ ଫୁଲରେ ମଲ୍ଲୀ ହେନାର ବାସ୍ନା
କେବେ ନିଦାଘ ସାୟାହ୍ନ
କେବେ ବର୍ଷା ବୈଶାଖ ବସନ୍ତ ଉପନ୍ୟାସର ପୃଷ୍ଠା ଭିତରେ
କେବେ ଉତ୍ତପ୍ତ ମରୁଦ୍ୟାନ
କେବେ ନୀଳ ଭୂଧରମାଳା ଉପରେ ଉଡେଇ ପାରେ
କେବେ ଯାନ୍ତ୍ରୀକ ବ୍ୟୋମଯାନ
ମାତ୍ର ନିଦ ଭାଙ୍ଗିଲା ବେଳକୁ
ସବୁ ଆକାଶ କୁସୁମ ଧୂମ
ମିଳେଇ ଯାଇଛି ସମଗ୍ର ସତ୍ତା ଉଭାନ
ମରୁ ମରିଚିକା ପରି ଦିଶେ ଦୂରେ ଦୂରେ ରଙ୍ଗୀନ
ହାତ ବଢ଼େଇ ଦେଲେ ଘୁଞ୍ଚିଯାଏ ସରକି ଯାଏ
କୁହୁଡି ବଳୟ ପରି ଧରେଇ ଯାଏ ଅର୍ବାଚୀନ
