ଜାଗିଉଠ କବି
ଜାଗିଉଠ କବି
ନିଜ ଅନୁଭବେ ଶବଦ ବିଭବେ
ଆଙ୍କି କବିତା ଛବି
ପାଠକ ମନକୁ ହିଲ୍ଲୋଳିବାକୁ
ଜାଗିଉଠ ଆହେ କବି ।
ପ୍ରତି ସମାଜର ବାସ୍ତବତା ଚିତ୍ର
କଲମ ଟଙ୍କାରେ ତୋଳି
ନିଶାଣେ ଭେଦାଅ ଜନତା ହୃଦୟ
ଭୁଲ୍ ତ୍ରୁଟି ଯେତେ କଳି ।
ତୁମେ ଏ ଧରାର ଦ୍ଵିତୀୟ ଈଶ୍ବର
ଖୋଲି ଦିଅ ଜ୍ଞାନଚକ୍ଷୁ
ଅଜ୍ଞାନାନ୍ଧକାର ହୋଇଯାଉ ଦୂର
ଲେଖନୀରେ ଧରା ବକ୍ଷୁ ।
ହୃତ ସ୍ବାଧୀନତା ଫେରି ହିଁ ବିଜେତା
ଏହି ଲେଖନୀ ବଳରେ
ସ୍ବାଧୀନତା ମନ୍ତ୍ର ପ୍ରତି ହୃଦଗତ
ହୋଇଥିଲା ସେତେବେଳେ ।
ହେ କବି କିମ୍ପାଇ ଶୋଇଅଛ ଚେଇଁ
ନିଶାଣକୁ କର ତୀକ୍ଷ୍ଣ
ଚେତନ ହୃଦୟ ହେବାକୁ ଉଦୟ
ଆହ୍ବନର ବୀଜ ବୁଣ ।
ସକଳ ଦେହରେ ଶିରାପ୍ରଶିରାରେ
ଭେଦୁଥିବ ତୁମ ବାଣୀ
ତାହାର ପ୍ରଭାବେ କଅଁଳି ଉଠିବେ
ସମ ତେଜୋମୟ ମଣି ।
ସେ ମଣିର ଆଭା ବିଛୁରିତ ଶୋଭା
ଜୀଇଁ ଥିବାଯାଏ ଥିବ
କଲମ ନିଶାଣ ପାଇଁ ଜାଗରଣ
କବି ଜୀଇଁ ରହିଥିବ ।