ହୁଅ ସଚେତନ
ହୁଅ ସଚେତନ
ପଡିଶା ଘରର ସନିଆ ଭାଇଟା
କାଶୁଥିଲା ଖୁଁ ଖୁଁ
କାଶ ଶୁଣି ତାର ସଅଳ ତା ପାଶେ
ଧିରେ ଧିରେ ଗଲି ମୁଁ ॥
ପଚାରିଲି ତାକୁ କଣ ହେଇଚି
ସେ ମତେ କହିଲା ଯାହା
ତା କଥା ଶୁଣି ମୁଁ ଛାନିଆ ହୋଇଲି
ଦୁଃଖେ ମୁଁ କହିଲି ଆହା ॥
ଯକ୍ଷ୍ମା,କରକଟ ଫୁଲିଛି ତା ପେଟ
ପାଟିରେ ବିରାଟ ଘା’
ଦୁଃଖେ ତା ଘରଣୀ ବସିଥିଲା ପୁଣି
କାନ୍ଦୁଥିଲା ବୁଢୀ ମା’ ॥
କାନ୍ଦିକାନ୍ଦି ତା ମା’ କହିଲା ପୁଅରେ
ବଞ୍ଚିବନି ମୋର ପୁଅ
ମରଣ ସଙ୍ଗରେ କରୁଛି ସଂଘର୍ଷ
ପିଇପିଇ ଆଖିଲୁହ ॥
ସକାଳରୁ ସଂଜ ସିଗାରେଟ୍,ମଦ
ତମାଖୁ,ଖଇନି,ପାନ
ଗଂଜେଇ,ପୁଡିଆ ଖାଇ ମୋ ସନିଆ
ନଷ୍ଟ କଲା ଏ ଜୀବନ ॥
ଯେତେ ମନାକଲି ମାନିଲାନି ଧନ
ଶେଷେ ପଡିଲା ଏ ରୋଗେ
କେମିତି ଚଳିବ ତା ଘର ସଂସାର
ଯାହା ଥିବ ତାର ଭାଗ୍ୟେ ॥
ଏକଇରବଳା ମୋ ନେତ୍ର ପିତୁଳା
ମୋ ଜୀବ ଜୀବନ ଧନ
ଯେଉଁ ନିଶା ଖାଇ ମତେ ଦୁଃଖ ଦେଇ
ହାରିଲା ଧନ,ଜୀବନ ॥
ଯୋଡି ବେନି ପାଣି କହିଲା ବାୟାଣି
ରଖିବୁ ବଚନ ମୋର
ମାଦକଦ୍ରବ୍ୟକୁ ଥିବୁ ସାବଧାନ
ସେ କାଳକୂଟ ଜହର ॥
ହୁଅ ସଚେତନ ଆହେ ସୁଜ୍ଞ ଜନ
ତମାଖୁ କର ବର୍ଜନ
ସୁଖରେ ବଞ୍ଚିବ ସୁସ୍ଥରେ ବଞ୍ଚିବ
ଲଭି ଯଶ,ସନମାନ ॥
ଶରତ ଚନ୍ଦ୍ର ଜାଲି,ପଥରା
ତା:୨/୭/୧୮