Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gyanendriya Dash

Inspirational Others

5  

Gyanendriya Dash

Inspirational Others

କନ୍ୟାଦାନ

କନ୍ୟାଦାନ

2 mins
594



ବନିତା ଦୁହିତା ଦୁହିକୁଳ ହିତା

ସମାଜର ଏହି ରୀତି ।

ନାରୀଶକ୍ତି ସାଥେ ପ୍ରଗତିର ରଥ

ଗଡ଼ିଥାଏ ନିତିନିତି ।୧।

ଝିଅପୁଅ ଦୁହେଁ ଜୀବନ ମୁଦ୍ରାର

ଏପାଖ ଆଉ ସେପାଖ ।

ପରିବାରେ ସଦା ମିଳାମିଶା ଥିଲେ

ମିଳେ ସିନା ଶାନ୍ତି ସୁଖ ।୨।

ଝିଅ ଜନମ ଯେ ଶାଶୁ ଘରକୁ ତ

ପିତୃକୁଳ କରି ଶୁନ୍ୟ ।

ପରକୁ ଆପଣା କରିବାକୁ ପଡ଼େ

ଦେଇ ତନ ଆଉ ମନ ।୩।

ଶିକ୍ଷାଦୀକ୍ଷା ସାରି ସମୟ ଚକ୍ରରେ

ହାତକୁ ଦି'ହାତ ହୋଇ ।

ନୂଆଁ ପରିବାର ନୂଆଁ ପରିଜନ

ସଂସାର ନିୟମ ଏହି ।୪।

ସମାଜରେ ଯେବେ ଜନ୍ମିଛୁ ସରବେ

ସତ୍ୟ ଏହା ଚିରନ୍ତନ ।

ବିବାହ ବନ୍ଧନ ପରମ କର୍ତ୍ତବ୍ୟ

ସମାଜ ଦିଏ ଆହ୍ୱାନ ।୫।

ଦାମ୍ପତ୍ୟ ଜୀବନେ ଚଳିବାକୁ ହୁଏ

ଏହା ସାମାଜିକ ପ୍ରଥା ।

ବୈକ୍ମୁଣ୍ଠ ସମାନ ପରିବାର ସାଥେ

ଚାଲି ଉଚ୍ଚ କରି ମଥା ।୬।

      -- ୨ --

ବାପା ମାଆଙ୍କର ଅଳିଅଳି ରତ୍ନ

ବିଜୟିତା ସୁନାମୁହିଁ ।

ଯିବୁ ଶାଶୁଘର ସାର୍ଥକ କରିଣ

ଦୁହିତା ଜନମ ତୁହିଁ ।୭।

ଶାଶୁଘର ତୋର ଅତି ଆପଣାର

ପରିବାରେ ତୋର ନାମ ।

ଲିପିବଦ୍ଧ କରି ହସଖୁସି ଭରେ

ଅର୍ଜିବୁ ସଦା ସୁନାମ ।୮।

ଶାଶୁ ଶ୍ବଶୁର ତୋ ଚଳନ୍ତି ଠାକୁର

ପୁଜୁଥିବୁ ନିତିନିତି ।

ତାଙ୍କ ଆଶୀର୍ବାଦ ସ୍ନେହ ଶ୍ରଦ୍ଧା ପାଇ

କରିବୁଟି ଅଗ୍ରଗତି ।୯।

ଶାଶୁ ଶ୍ୱଶୁରଙ୍କୁ ଭକ୍ତି ସମ୍ମାନରେ

କରିବୁନି କେବେ ହେଳା ।

ତାଙ୍କ ନିର୍ଦ୍ଦେଶରେ କରୁଥିଲେ କାମ

ହେବୁ ପରିବାରେ ଗେହ୍ଲା ।୧୦।

ଅଜଣା କଥାକୁ ପଚାରି ବୁଝିବୁ

ଦୁହେଁ ତୋର ପିତାମାତା ।

ତାଙ୍କ ପରାମର୍ଶ ତୋ ପାଇଁ ଆଦର୍ଶ

ଅଟନ୍ତି ଭାଗ୍ୟବିଧାତା ।୧୧।

ସେବା କରି ତାଙ୍କ ଅର୍ଜିବୁ ପୂଣ୍ୟ ମାଁ

ଲଷ୍ମୀ କୂଳବଧୁ ସାଜି ।

ସୁଖରେ ଦୁଃଖରେ ସହଭାଗୀ ହେବୁ

ହିନ୍ଦୁ ନାରୀ ମନେ ହେଜି ।୧୨।

      -- ୩ --

ଦେଢ଼ଶାଶୁ ସାଥେ ଗଇଁମାନେ ତୋର

ପୂଜ୍ୟ ସର୍ବଦା ସର୍ବତ୍ର ।

ଯଥାରୀତି ତୁହିଁ ସମ୍ମାନ ଜଣାଇ

ହେବୁ ତାଙ୍କ ପ୍ରିୟପାତ୍ର ।୧୩।

ତାଙ୍କୁ ଭକ୍ତିଭରେ ଆଦର ସତ୍କାରେ

ମାଗୁଥିବୁ ଆଶୀର୍ବାଦ ।

ଗୁରୁଜନେ ସଦା ମୁଣ୍ଡିଆ ମାରିବୁ

ନିର୍ମଳ କରି ତୋ ହୃଦ ।୧୪।

ପିଉସାପିଉସୀ ମଉସାମାଉସୀ

ମାମୁଁ ମାଇଁଙ୍କୁ ପୂଜିବୁ ।

ଆଦର ବେଭାରେ ଆପ୍ୟାୟିତ କରି

ସ୍ନେହଶ୍ରଦ୍ଧା ପ୍ରାପ୍ତ ହେବୁ ।୧୫।

ନନନ୍ଦଦିଅର ଅତି ଆପଣାର

ଦେବୁ ତାଙ୍କୁ ସ୍ନେହଶ୍ରଦ୍ଧା ।

ସୁଖରେ ଦୁଃଖରେ ଭାଗୀଦାର ହେବୁ

ରଖିବୁନି ମନେ ଦ୍ଵିଧା ।୧୬।

ଭଣଜାଭାଣଜୀ ତୋ ହୃଦ ଚନ୍ଦନ

ନୟନ ପିତୁଳା ପରି ।

ସ୍ନେହ ମମତାରେ ବାନ୍ଧି ରଖିଥିବୁ

ସଦା କୋଳାଗ୍ରତ କରି ।୧୭।

ବୁଝୁଥିବୁ ତାଙ୍କ ଅଳି ଅର୍ଦ୍ଦଳିକୁ

ସ୍ନେହବୋଳା ହସ ହସି ।

ମିଠାକଥା କହି ଗେଲ ଆଦରରେ

ରଖୁଥିବୁ ତାଙ୍କୁ ଖୁସି ।୧୮।

      -- ୪ --

ସ୍ୱାମୀ ତୋ ନିଜର ଅତି ଆପଣାର

ପୂଜ୍ୟ ପରମ ଈଶ୍ୱର ।

ତାଙ୍କ ସାନ୍ନିଧ୍ୟରେ ବଜ୍ର ହେବ ମାଁ ଗୋ

ତୋ ପ୍ରିୟ ଶଙ୍ଖା ସିନ୍ଦୁର ।୧୯।

ରଜାପୁଅ ରାଜା ସାଥେ ରାଣୀ ଭଳି

ଗଢ଼ିବୁ ସୁନା ସଂସାର ।

ଅର୍ଦ୍ଧାଙ୍ଗିନୀ ସାଜି ଛାଇଭଳି ଥିବୁ

ସାଥୀ ତୋ ଚିର ଦିନର ।୨୦।

ଜୀବନ ଡଙ୍ଗାର ଦୁଇ ମଙ୍ଗ ଦୁହେଁ

ସଲଖି ବାହିବ ନାଆ ।

ଦାମ୍ପତ୍ତ୍ୟ ଜୀବନ ସୁଖମୟ କର

ସାହା ହେବେ ଚଉବାହା ।୨୧।

ବାପାମାଆ ଆଉ ଶାଶୁଶ୍ୱଶୁରଙ୍କୁ

ଦେଇଥିବ ଶୁଭଦୃଷ୍ଟି ।

ସୁଖୀ ପରିବାର ତେବେ ସିନା ହେବ

ବିଧାତାର ଏହି ସୃଷ୍ଟି ।୨୨।

ହିନ୍ଦୁ ସଂସ୍କୃତିକୁ ଭୁଲିବନି କେବେ

ଉଚ୍ଚ ଆମ ପରମ୍ପରା ।

ଉଚ୍ଚ ଶିକ୍ଷା ଲବ୍ଧ ଜ୍ଞାନକୁ ଯେ ତୁମ

ବିଞ୍ଚିବ ଜୀବନ ସାରା ।୨୩।

ବୈକୁଣ୍ଠ ସମାନ ଗଢ଼ି ପରିବାର

ଆଦର୍ଶ ମାର୍ଗରେ ଯିବ ।

ପୂଜ୍ୟ ଜନ୍ମଦାତା ଜନ୍ମଦାତ୍ରୀଙ୍କର

ଛାତି କୁଣ୍ଢେମୋଟ ହେବ ।୨୪।

      -- ୫ --

ସମୁଦି ମୋହର ସ୍ନେହର ଭଣ୍ଡାର

ସମୁଦୁଣୀ ସ୍ନେହମୟୀ ।

ପୁତ୍ରବଧୁ ହୋଇ ସ୍ନେହ ପାଉଥିବୁ

ଚିରନ୍ତନ କାଳଜୟୀ ।୨୫।

ରାଜାରାଣୀ ପରି ଦାମ୍ପତ୍ତ୍ୟ ଜୀବନେ

ହେଉଥାଉ ପୁଷ୍ପ ବୃଷ୍ଟି ।

ଝିଅଜୋଇଁଙ୍କୁ ମୋ ହେ ଚକାନୟନ

ଦେଇଥିବ ଶୁଭଦୃଷ୍ଟି ।୨୬।

ଦାଶ ଘର ଝିଅ ମୋ ଗେହ୍ଲା ରତନ

ହେଲୁ ଦାଶ ଘର ବୋହୁ ।

ତୋ ଚଲାପଥରେ ନ ଗଡୁ କଣ୍ଟା ମାଁ

ସଦା କୁସୁମିତ ହେଉ ।୨୭।

ଦେବଗଡ଼ ଆଉ ହୀରାକୁଦ ସିନା

ଅଟେ ଆମ କର୍ମସ୍ଥଳୀ ।

ବହଲପାଲି ଓ ଡାଲବ ଗ୍ରାମକୁ

ଯିବନାହିଁ କେବେ ଭୁଲି ।୨୮।

ଜୋଇଁ ସାଥେ ଝିଅ ଦେଉଛୁ ବିଦାୟ

ଡେଜି ଆଉ ପିତାମାତା ।

ସୁଖରେ ଶାନ୍ତିରେ ପ୍ରଗତି ଶୀର୍ଷକୁ

ନେବ ହେ ସୃଷ୍ଟିକରତା ।୨୯।

ସ୍ନେହ ସରାଗରେ ଗେଲ ବସରରେ

କଲୁ ଲାଳନପାଳନ ।

ଝିଅ ଜନ୍ମ କରି ପୂଣ୍ୟ ଅର୍ଜିବାକୁ

କରୁଛୁ ମାଁ କନ୍ୟାଦାନ ।୩୦।

   


Rate this content
Log in