ବୁଡିବ ସଂସାର ଭେଳା
ବୁଡିବ ସଂସାର ଭେଳା
ଧର୍ମ ସଂସ୍ଥାପନେ ଅଧର୍ମ ନାଶନେ ଯଦି ବା ରହିଛ ତୁମେ
ଅଧର୍ମୀ ରାକ୍ଷସ ବିଧ୍ଵଂସ କରନ୍ତି କିପରି ତୁମ ଏ ଭୂମେ
ତାଣ୍ଡବଲୀଳା ଯା' ରଚିଛ ପ୍ରଭୁ ହେ କଅଁଳା ଶିଶୁର ହସ
ନେଇଛି ଛଡାଇ ପିତୃମାତୃ ହୀନ ପାଉଛି କେବଳ ତ୍ରାସ ।
ନବବଧୂର ସେ ଅଳତାର ଧାର ଲିଭିନାହିଁ ପଦଧାରୁ
ମୁକୁଳା କବରୀ କିପରି ସହୁଛ ଶୂନ୍ୟ କରି ସିନ୍ଥି ତୀରୁ
ମାଆର ହୃଦୟୁ ରକତର ନଈ ବୁହାଉଛ ଅବିରତ
ଭଗ୍ନ ହୃଦୟରେ ପଡିଅଛି ବାପ କରିଛି ପାଷାଣ ଚିତ୍ତ ।
ଭୈରବ ରଡି ତ ଶୁଭୁଅଛି ଆଜି ଅର୍ଗଳିକୁ ଭେଦକରି
ଅଧର୍ମୀ ବିଧର୍ମୀ ବୁଲୁଛନ୍ତି କିନ୍ତୁ ଭୟଭ୍ରାନ୍ତି ସବୁ ମାରି
ପାଷାଣ୍ଡ ପ୍ରବର ଅଟ୍ଟହାସ୍ୟ ତୁମ କର୍ଣ୍ଣକୁ କି ଶୁଭୁନାହିଁ
ବାଛିବାଛି ନିଅ ଧରମ ନାଆରେ ଭଲମନ୍ଦ ଜ୍ଞାନ ଥାଇ ।
ଦିବସ ରଜନୀ ଘର କି ବାହାର ସବୁଠି ସୁରକ୍ଷା ଛେଦି
ଅଧର୍ମୀ ଅରକ୍ଷେ ସାଜନ୍ତି ଅଇରି ମରଣ ଯାଆନ୍ତି ଭେଦି
ଦେଖୁଛ ସବୁ ହେ କାହାପାଇଁ ଆଜି ରଚିଛ ତାଣ୍ଡବଲୀଳା
ତାରଣେ ମାରଣ ନୀତି ଯଦି କର ବୁଡିବ ସଂସାର ଭେଳା ।
