ପରମ ସାକ୍ଷାତ
ପରମ ସାକ୍ଷାତ
ଜାଣିଛ କି ପାଇଁ ଜଳ ବହେ ଧାଇଁ
ସଦା ନିମ୍ନଗାମୀ ହୋଇ
ସାଗର ତା' ପାଇଁ ରହିଛି ଅନାଇଁ
ମୂହୁର୍ତ୍ତେ ନ ପାରେ ଶୋଇ ।
ମୂଳ ଉତ୍ସ ତାର ଅଟେ ସେ ସାଗର
କେତେ ସୂର୍ଯ୍ୟତାପ ସହି
ବାଷ୍ପ ରୂପେ ଚଢି ବାୟୁ ସାଥେ ଉଡି
ମେଘ ଦେହେ ଯାଏ ରହି ।
ଜଗତ କଲ୍ୟାଣେ ଋତୁଚକ୍ର ଆଣେ
ଗ୍ରୀଷ୍ମ ଅନ୍ତେ ବର୍ଷା ରୂପେ
ସିକ୍ତ ହୁଏ ଧରା ସ୍ରୋତେ ବହି ପରା
ଭରଇ ତଡାଗ କୂପେ ।
ସଂସାର ସେବାରେ ନିଯୋଗ ହେବାରେ
ନିଜେ ଧନ୍ୟ ମଣୁଥାଏ
ଘାତ ପ୍ରତିଘାତ ଡେଇଁ ସେ ନିରତ
ନଦୀ ରୂପେ ବହି ଯାଏ ।
ଏହିଭଳି ନିଆଁ ଊର୍ଦ୍ଧ୍ୱମୁଖେ କିଆଁ
ଚାଳଇ ନିଜର ଶିଖା
ଜାଣିଲେ ରହସ୍ୟ ବୁଝିବ ଅବ
ଶ୍ୟ
ଜୀବନର ମହା ଦୀକ୍ଷା ।
ଅଗ୍ନିର ଆଧାର ନକ୍ଷତ୍ରରେ ସାର
ଅନ୍ତରୀକ୍ଷେ ଦିନମଣି
ଅନଳର ଶିଖା ସଦା ଊର୍ଦ୍ଧ୍ୱମୁଖା
ରହଇ ସ୍ୱଧର୍ମେ ଗଣି ।
ଜୀବର କାରଣ ପ୍ରଭୁ ନାରାୟଣ
କରନ୍ତି ପ୍ରାଣ ବିଧାନ
ଶକତି ସଞ୍ଚାରି ଘଟରେ ବିଚରି
ଥାଆନ୍ତି କୃପାନିଧାନ ।
ପରମ ଆନନ୍ଦ ସ୍ୱରୂପେ ଗୋବିନ୍ଦ
ଦେଇଛନ୍ତି ବୋଲି ପ୍ରାଣ
ଶାଶ୍ୱତ ଆନନ୍ଦ ଲକ୍ଷ୍ୟେ ଅନୁବନ୍ଧ
ଆମ ଏ ଜୀବନ ଜାଣ ।
ଧର୍ମେ ଅନୁରକ୍ତି ଦୟା ଦାନ ଭକ୍ତି
କର୍ତ୍ତବ୍ୟ ଆମ ପରମ
ପରମ ସାକ୍ଷାତ ହୁଏ ତ ପ୍ରତୀତ
ତୁଟିଲେ ଅହଂ ଭରମ ।
ପ୍ରସନ୍ନ କୁମାର ମାଦଳା