ଭିଜା ପଣତ
ଭିଜା ପଣତ
ମାଆ କୋଳ ମଧୁର ସୁବାସିତ ଝରା
ହରିନିଏ ସବୁ ଦୁଃଖ,
ନିର୍ଭୟ ଆଶ୍ରୟ ମମତା ଅପ୍ରମେୟ
ଶ୍ରେଷ୍ଠ ପରା ସେହି ସୁଖ ।
ଖୁଆଇ ଦିଏ ସେ ଗେହ୍ଲା କରି ହୃଦୟେ
ଅନ୍ତରେ ଆନନ୍ଦ ଭରି,
ଉପରେ ନ ଥାଏ ଭିତରେ ଝରୁଥାଏ
ସ୍ନେହ, ଆଶିଷର ବାରୀ ।
କରୁଣା ମୟୀ ପରା ଜନନୀ ପରାଣ
କଳି କେ ପାରଇ ହୃଦେ,
ହସୁଥିଲେ ମାଆ ସ୍ୱର୍ଗ ସୁଖ ମିଳନ
ଲକ୍ଷ୍ମୀ ନିବାସ ସେ ଗୃହେ ।
ବଡ଼ ହୋଇ ଗଲେ ବି ଛୁଆଟି ତାହାରି
ଆଖିକୁ ବଡ଼ ନ ଦିଶେ,
ମୋ ଛୁଆ କୁହେ ପରା ନୁହେଁ ତ ଅନ୍ଧୁଣୀ
ମମତା ଭରା ପରଷେ ।
ରୋଗ ଶଯ୍ୟାପରେ ଭିଜାଏ ପଣତରେ
ଦେବୀ, ଦେବତାଙ୍କୁ ଲୁହେ,
ମାନବୀ ରୂପରେ ସେ ଦେବୀ ପ୍ରତିମାଏ
ଭାବିଲେ କୋହ ହୃଦୟେ ।
ପତରଟି ପଡିଲେ ହୃଦୟ ତାହାରି
ପଥର କଷଣ ଆଣେ,
ସବୁ ବାଧା, ବିଘ୍ନକୁ ଶକ୍ତିରେ ଦୂରେଇ
ପିଲା ପାଇଁ ସୁଖ କିଣେ ।
ଭାବିଥରେ ହୃଦେ ମାଆର ମମତାକୁ
କରନାହିଁ ଅନାଦର,
କେତେ ଯେ କଷ୍ଟପିଇ ସୁଖ ଭରିବାକୁ
ଭୁଲିଛି ଯେ ସୁଖ ତାର ।
ଜୀବନ୍ତ ଦେବୀ ସେ ଶକ୍ତିମୟୀ ମାଆଟି
ଆଶିଷ ଅମୃତ ଭରି,
ପଥ କୁସୁମିତ ସେବାରେ ତା ସଦାହିଁ
କୈବଲ୍ୟ ପଡଇ ଝରି ।
ଅସରନ୍ତି ଆଶା ତା ଅତ୍ମୀୟତା ଭାଷା
ନାହିଁ ଆଉ କେହି ସରି,
ଆବୋରି ନିଏସେ ତା ସମଗ୍ର ବସୁଧା
ନାରାୟଣୀ ରୂପ ଧରି ।