ଗଙ୍ଗାରେ ପିଣ୍ଡ ଦାନର ମହତ୍ୱ
ଗଙ୍ଗାରେ ପିଣ୍ଡ ଦାନର ମହତ୍ୱ
ଦେବତ୍ୱର ଭୂମି ପବିତ୍ର ଭାରତ
ଆମ ଜନ୍ମଭୂମି ଅଟେ,
ସତ୍ୟଯୁଗ ଠାରୁ କଳି ଯୁଗଯାଏଁ
କେଡେ ଅଟେ ବୀରାଟେ ।
କାଶ୍ମିରଠାରୁ କନ୍ୟାକୁମାରୀ ଯାଏଁ
ବିସ୍ତୃତ ମୋହରି ଦେଶ,
ତାହାରି କୋଳରେ ବଢ଼ିଛେ ଯେ ଆମେ
ଲଭିଣ ତାର ଆଶିଷ ।
ଭଗବାନ କୃଷ୍ଣ ରାମ ଯେ ଲକ୍ଷ୍ମଣ
ଜନମି ତାହାରି କୋଳେ,
ଜଗତର ନାଥ ପ୍ରଭୁ ଜଗନ୍ନାଥ
ବିଦ୍ୟମାନ ତାରି କୋଳେ ।
ତେଣୁ ଏହି ମାଟି ପବିତ୍ର ହୋଇଛି
ସାରା ଜଗତ ମଧ୍ୟରେ,
ତାହାରି କୋଳରେ ଜନମି ଅଛନ୍ତି
ନାଆଁ ପଡେ ଜଗତରେ ।
କେତେ ନଦୀ, ନାଳ ପୋଖରୀ ହ୍ରଦ ଯେ
ଏହାର ବକ୍ଷେ ବହଇ,
ସାଗର ସମୁଦ୍ର ଅଛନ୍ତି କେତେ ଯେ
ପବିତ୍ର ରୁପକୁ ନେଇ ।
ହିନ୍ଦୁମାନଙ୍କର ବିଶ୍ୱାସ ରହିଛି
ପୁରାତନ ପରମ୍ପରା,
ପିତୃପୁରୁଷଙ୍କର ପିଣ୍ଡ ଦାନ କଲେ
ଶାନ୍ତି ପାଏ ଆତ୍ମା ପରା ।
ଗୟା ତୀର୍ଥ କ୍ଷେତ୍ର ପବିତ୍ର ସ୍ଥାନ ଯେ
ଶାସ୍ତ୍ରେ ରହିଛି ପ୍ରମାଣ,
ପିତୃ ପୁରୁଷଙ୍କ ପିଣ୍ଡ ଦାନ କଲେ
ଆତ୍ମା ପାଏ ଦିବ୍ୟଜ୍ଞାନ ।
ପିତୃ ମାତୃ ଋଣ ବ୍ରହ୍ମ ଲୋକ ପ୍ରାପ୍ତ
ଜୀବନେ ପାଇବା ପାଇଁ,
ଭକ୍ତି ନିଷ୍ଠା ସହ ପାଳନ କରିବ
କହିଛନ୍ତି ଯେ ଗୋସାଇଁ ।
ଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଗୟା ଯେ ହୋଇଛି
ଜଗତ ମଧ୍ୟରେ ସାର,
ପ୍ରତ୍ୟକ୍ଷ ବିରାଜି ସବୁ ଦେବାଦେବୀ
କରିଥାନ୍ତି ଉପଚାର ।
ପବିତ୍ର ଗୟାରେ ଶ୍ରାଦ୍ଧ ଯେ କରିଲେ
ମୋକ୍ଷ ପ୍ରାପ୍ତି ହୋଇଥାଏ,
ତିନି ପୁରୁଷର ମୋକ୍ଷ ପ୍ରାପ୍ତି ପାଇଁ
ଉପଚାର କରା ଯାଏ ।
ପବିତ୍ର ଗଙ୍ଗାରେ ପିଣ୍ଡ ଦାନ ପାଇଁ
ଶାସ୍ତ୍ରରେ ରହିଛି ନିୟମ,
ଉକ୍ତ ନିୟମକୁ ବିଧିରେ ପାଳିବା
କରିବା ସତ କରମ ।
ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗରେ
ରହିଥିବ ମଳ ମାସ,
ପିତୃ ପୁରୁଷଙ୍କ ପିଣ୍ଡ ଦାନ କଲେ
ପାଇବା ନିଶ୍ଚେ ଆଶିଷ ।
ମଳ ମାସ ମଧ୍ୟେ ପବିତ୍ର ତିଥିରେ
ଗୟାରେ ଶ୍ରାଦ୍ଧ କରିଲେ,
ସିଂହ ରାଶି ଜାତ ବୃହସ୍ପତି କାଳେ
ପ୍ରକୃଷ୍ଟ ସମୟ ଭଲେ ।
ଜଗତ ମଧ୍ୟରେ କିରତୀ ବଢିବ
ମନରେ ଭକ୍ତି ରହିଲେ,
ଅନ୍ତର ହୃଦୟେ ଡାକିଲେ ପ୍ରଭୁଙ୍କୁ
ଯଶ ଅକ୍ଷୟ ରହେ ଭଲେ ।
ନିଜ ମନୋବାଞ୍ଛା
ପୂରଣ ନିମନ୍ତେ
ଗଙ୍ଗା ପାଖକୁ ଯାଇଣ,
ଵିଧି ଅନୁସାରେ ପୂଜାର୍ଚ୍ଚନା କର
ପ୍ରଭୁଙ୍କୁ ଲୟ ରଖିଣ ।
ଅଶ୍ଵମେଧ ଯଂଜ୍ଞ ଫଳ ପ୍ରାପ୍ତି ହୁଏ
ବ୍ରହ୍ମଚର୍ଯ୍ୟା ବ୍ରତ କଲେ,
ହୃଦୟ ମଧ୍ୟରେ ପ୍ରଭୁଙ୍କୁ ସୁମରି
ବିଧିରେ ପାଳନ କଲେ ।
ମଣିଷ ଜୀବନ ନୁହଇଁ କେବଳ
ଦିନେ ଦୁଇଦିନ କାଳ,
ଜୀବନ ସାର୍ଥକ ପାଇବାକୁ ହେଲେ
ବୁଡରେ ପାଇବ ଫଳ ।
ଜୀବନ ମଧ୍ୟରେ ଥରେ ବୁଲି ଆସ
ପବିତ୍ର ଗଙ୍ଗାର ଜଳେ,
କରିଥିବା ପାପ ଧୋଇ ହୋଇଯିବ
ଖୁସି ହେବା ଯେ ସକଳେ ।
ପବିତ୍ର ଗଙ୍ଗାରେ ବୁଡ଼ ପକାଇଲେ
ମନେ ପବିତ୍ରତା ଆସେ,
ହୃଦୟେ ଭକତି କରିଣ ଡାକିଲେ
ଆଧ୍ୟାତ୍ମିକ ଜ୍ଞାନ ଆସେ ।
ଶାସ୍ତ୍ର ମାନଙ୍କରେ ବର୍ଣନା ହୋଇଛି
ପିଣ୍ଡ ଦାନର ମହତ୍ୱ,
ପବିତ୍ର ଗଙ୍ଗାର ଚରଣ ସ୍ପର୍ଶରେ
ରହିଛି ଯେ ଗୁଢ ତତ୍ତ୍ୱ ।
ଦେବତାର ଭୂମି ଭାରତ ବର୍ଷରେ
ଧର୍ମ ବିଶ୍ୱାସୀ ଯେ ଆମେ,
ବିଶ୍ୱାସର ମୂଳେ ଭଗବାନ ଥାନ୍ତି
ମନେ ପାଅ ଦିବ୍ୟଜ୍ଞାନେ ।
ଗୀତା ଭାଗବତ ବେଦ ଯେ ପୁରାଣ
ଅଛନ୍ତି କାଳ କାଳରୁ,
ମୁନି ରୁଷିମାନେ ଲେଖିଣ ଅଛନ୍ତି
ସୃଷ୍ଟିର ଆଦ୍ୟ କାଳରୁ "
କେତେ ଯୁଗ ଜନ୍ମା ମହାପୁରୁଷ ଯେ
ଜନ୍ମିଣ ଏଇ ଭାରତେ,
ଜଗତର ହିତ କରିବା ପାଇଁକି
ବ୍ୟାକୁଳ ରହନ୍ତି ଚିତ୍ତେ ।
ତାଙ୍କ ଉପଦେଶ ମାର୍ଗଦର୍ଶୀ ବାଣି
ପାଳନ କଲେ ଜୀବନେ,
ମନୁଷ୍ୟ ଜନମ ସାର୍ଥକତା ହେବ
ସଦା ରଖିଥାଅ ମନେ ।
ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ହେଲେ
ଆଶିଷ ମିଳେ ବଂଶକୁ,
ସମସ୍ତେ ସୁଖରେ ଜୀବନ କାଟନ୍ତି
ଭୟ ନକରି କାହାକୁ ।
ପବିତ୍ର ଗଙ୍ଗାରେ ବୁଡ଼ ପକାଇବା
ପିତୃ ପୁରୁଷଙ୍କ ପାଇଁ,
ଶାସ୍ତ୍ରର ମତରେ ଶ୍ରାଦ୍ଧ କରିବା ଯେ
ବଂଶ ଉଦ୍ଧରିବା ପାଇଁ ।
ଗୁଆ, ପାନ, ଖସା ଯବ ଧାନ, ଅଦା
ଛତୁଆରି, କଞ୍ଚା କ୍ଷୀର,
ବେତ କନ୍ଦା, ଗୁଡ଼ ମହୁ, ଘିଅ, ଦହି
ଫୁଲ, ମୁରୁଜ, କର୍ପୁର ।
କଦଳୀ, କର୍ପୁର ଉଷୁନା ଚାଉଳ
ଧୂପ, ଦ୍ୱୀପ, ଝୁଣା, ଲୁଣ,.
ଅରୁଆ ଚାଉଳ ହାତୁଆ ଯେ କୁଣ୍ଡ
କୁଶ ଆସନ ଯେ ପୁଣ ।
ଉଷୁନା ଚାଉଳ ଚନ୍ଦନ କର୍ପୁର
ଭିନ୍ନ ଯେ ପନି ପରିବା,
ପିଣ୍ଡ ରଖା ପାତ୍ର ପଣସ ପତ୍ର ଯେ
ଯୋଗାଡ଼ କରି ରଖିବା ।