ଶ୍ରୀକୃଷ୍ଣ
ଶ୍ରୀକୃଷ୍ଣ
ରାଗ --ବଙ୍ଗଳାଶ୍ରୀ
ଧରି କଳେବର ନନ୍ଦର ନନ୍ଦନ ଗୋପରାଜ୍ୟ ନଗରୀରେ
ଯଶୋଦାଙ୍କ କୋଳ ମଣ୍ଡନ କରିଲ ତେଜସ୍ୱି ଶିଶୁ ରୂପରେ "
ପ୍ରଭୁ ତୁମେ କୃଷ୍ଣ ଅଣାକର ଜ୍ୟୋତି ପରଂବ୍ରହ୍ମ ନିରାକାର
ବିଶ୍ୱର ରଚକ ବିଶ୍ୱର ରକ୍ଷକ ତୁମେ ହିଁ ପରମେଶ୍ୱର "
ହେ ଦିବ୍ୟପୁରୁଷ ତ୍ରିଭୁବନ କର୍ତ୍ତା ଜଗଦ୍ଦିପ୍ତି ଦୀନବନ୍ଧୁ
ଉପମା ରହିତ ଅନାଦି ଅନନ୍ତ ତୁମେ କରୁଣାର ସିନ୍ଧୁ "
ମୟୂର ଚୁଳିଆ ଛନ୍ଦାଚରଣ ହେ ଗୋପର ମଉଡମଣୀ
ଯଶୋଦା ନନ୍ଦନ ନନ୍ଦ ପ୍ରାଣଧନ ଆସ ଧନ ବେଣୁପାଣି "
ଆସ ହୃଷିକେଶ ଗୋବିନ୍ଦ ମୁରାରୀ କାଳୀଦଳା ରଙ୍ଗାଧର
କଂସ ନିଧନିଆ ରାଧା ରମଣ ହେ ଆସ ମୁଁ ଯୋଡୁଛି କର "
ଦଶ ଅବତାରୀ ହେ କୁଞ୍ଜବିହାରୀ ଯମୁନା କୁଳିଆ ହରି
ରାମ କୃଷ୍ଣ ଦେବ ଜୟ ନାରାୟଣ ଆସ କାହ୍ନୁ ବଂଶୀଧାରୀ "
କିଏ ଡାକୁଥାଏ କୃଷ୍ଣଚନ୍ଦ୍ର ବୋଲି କିଏ ଡାକେ ବ୍ରଜଶଶୀ
କିଏ ଡାକିଥାଏ ଶରଧାରେ କାହ୍ନୁ ଆସ ଧନ ଧରି ବଂଶୀ "
ତୁମ ବଂଶୀ ସ୍ୱର ଶ୍ରବଣ ନିମନ୍ତେ ଜଗତେ ମାନବ ଗଣ
କେତେ ମୁନୀ ଋଷି ତପସ୍ୱୀ ସାଧକ ଚାହିଁଥାନ୍ତି ଗୋପୀଗଣ "
କୃଷ୍ଣଙ୍କ ବଂଶୀରେ ସପ୍ତଶ୍ୱର ଥାଏ ଜଡ଼ ଚେତନାର ସ୍ୱର
ପ୍ରତ୍ୟେକ ରନ୍ଧ୍ରରେ ଭିନ୍ନ ଭିନ୍ନ ସ୍ୱର ହୋଇଥାଏ ସୁମଧୁର "
>
ପ୍ରଥମ ରନ୍ଧ୍ରରେ ତରୁ ପଲ୍ଲବିତ ଶୁଣିଣ ବଂଶୀର ସ୍ୱର
ଦ୍ୱିତୀୟ ରନ୍ଧ୍ରରେ ଯମୁନା ସ୍ଥଗିତ ସ୍ୱର ଲାଗେ ସୁମଧୁର "
ତୃତୀୟ ରନ୍ଧ୍ରରେ ମଳୟ ବହଇ ଜୀବନର ଶାନ୍ତି ପାଇଁ
ଚତୁର୍ଥ ରନ୍ଧ୍ରରେ କଦମ୍ବ ଫୁଟଇ ରାଧାଙ୍କ ସୌନ୍ଦର୍ଯ୍ୟ ପାଇଁ "
ପଞ୍ଚମ ରନ୍ଧ୍ରରେ ଗୋପୀ ନାମ ଧରେ ଷଷ୍ଠରେ ଡ଼ାକଇ ରାଧା
ସପ୍ତମ ରନ୍ଧ୍ରରେ ରାଧାକୃଷ୍ଣ ମେଳି ଡ଼ାକଇ ମାତ ବସୁଧା "
ଶ୍ରୀକୃଷ୍ଣଙ୍କ ବଂଶୀ ସ୍ୱରକୁ ଶୁଣିଣ ଚକିତ ଯମୁନା ପାଣି
ମୃଗ, ତରୁ, ତୃଣ ଚାପିଣ ରହିଲେ ଭାଙ୍ଗିଲା ବାଙ୍କ ଚାହାଣି "
ଜଳ ଛାଡି ମୀନ କୂଳେ ପଡିଗଲା ବୃକ୍ଷର ପତର ଝଡି
ଶୁଷ୍କ ତରୁମାନେ ପଲ୍ଲବିତ ହେଲେ କୁଳବଧୁ ଗଲେ ଛାଡି "
ଗୋପପୁରେ ଯେତେ ଗୋପାଙ୍ଗନା ଥିଲେ ବିଷୟା ବିଶାର ହେଲେ
ଶାଶୁ ନଣନ୍ଦଙ୍କ ଆକଟ ନମାନି ଯମୁନାକୁ ଚଳିଗଲେ "
କାଷ୍ଠ ପିତୁଳି ଯେ ହୋଇ ଗୋପନାରୀ ସମସ୍ତେ ରହିଲେ ଚାହିଁ
ବଂଶୀର ଶରଣ ହୋଇବା ସମସ୍ତେ କୃଷ୍ଣ ବିନୁ କିଛି ନାହିଁ "
ସସାଗର ଧରା ହୁଏ ପ୍ରକମ୍ପିତ ସାନ୍ନିଧ୍ୟର ଆଶା ନେଇ
ନାଚୁଛି ଆକାଶ ସାଗର ତରଙ୍ଗ ବଂଶୀର ସ୍ୱର କମ୍ପଇ "
କୃଷ୍ଣମୟ ହେଉ ଏ ସାରା ଜଗତ ସୁଖରେ ବିତୁ ଦିବସ
ପ୍ରଭୁ ପାଦେ ମତି ରହି ପାଉ ପ୍ରୀତି ହୃଦେ କୁଞ୍ଜେ ଆସି ବସ "