ନିର୍ଦ୍ଦୟ କରୋଣା ପାଇଁ
ନିର୍ଦ୍ଦୟ କରୋଣା ପାଇଁ
ନିର୍ଦ୍ଦୟ କରୋଣା ବିଦାରେ ହୃଦୟ
ଜଗତ ହୁଅଇ ଆତଙ୍କିତ
ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ଆଜି
ଶତଶତ ମୃତ୍ୟୁ କବଳିତ ।
ତଥାପି ଅଛନ୍ତି ଅବୁଝା ମଣିଷ
ବୁଝିବାକୁ ତାଙ୍କ ବେଳ ନାହିଁ
ନିଜକୁ କରନ୍ତି ନିଜେ ପ୍ରତାରଣା
କରୋଣା ବସିଛି ବାଟ ଚାହିଁ ।
ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଯାଇ
ରୋଗକୁ କରନ୍ତି ନିମନ୍ତ୍ରଣ
ଅସହାୟ ଦେଶ ଗୋଷ୍ଠୀ ସଂକ୍ରମଣ
ଆଶଙ୍କା ରେ ସବୁ ମ୍ରିୟମାଣ ।
କିଏବା ଜାଣିଛି କିଏସେ ଆଣିଛି
କରୋଣାକୁ ତାର ସାଥେ ନେଇ
ନିଜେତ ଜଳିବ ଅନ୍ୟକୁ ଜାଳିବ
ରୋଗର ଜୀବାଣୁ ବାଣ୍ଟିଦେଇ ।
ନିଜ ନିଶ୍ୱାସ କୁ ବିଶ୍ୱାସ ହେଉନି
ପାଣି ପବନକୁ ଭାରି ଡର
ସୁନ୍ଦର ଦୁନିଆ ଲାଗୁଛି ବନ୍ଧୁର
ମାଟିରୁ ଆକାଶ ଥରହର ।
ଆପଣା ଲୋକତ ସଂକ୍ରମିତ ହେଲେ
ଛନକା ପସୁଛି ଛାତିରେ
ଯାଆ ଆସ କାହିଁ କରିଛନ୍ତି ସିଏ
ମଶିଛନ୍ତି କାହା ସାଥିରେ !
ଉତ୍ତର ତ ତାର ଖୋଜୁଖୋଜୁ ଏଣେ
ସଂକ୍ରମିତ ସଂଖ୍ୟା ବଢୁଛି
ଛଟପଟ ସବୁ ପ୍ରିୟ ପରିଜନ
ଡରି ଡରି ଦିନ ସରୁଛି ।
ଆସ ସାଥୀ ଆସ ଅବେଳରେ ଆଜି
ଆମେତ ସତର୍କ ରହିବା
ସବୁ କଟକଣା ନୀୟମକୁ ମାନି
ସଙ୍ଗରୋଧରେତ ରହିବା ।