ମୋହ
ମୋହ
ଚିତ୍ତ ବିକଳତା ଅଟେ ପରା ମୋହ
ଅତି ଚିନ୍ତାରୁ ଯା' ହୁଏ ଉତ୍ପନ୍ନ
କିଂକର୍ତ୍ତବ୍ୟବିମୂଢ଼ତା ବୋଧେ
ଚେତନ ହୁଅଇ ଚେତନାଶୂନ୍ୟ ।
ମୋହମାୟା ଘେରା ସଂସାର କୂପରେ
ପଡ଼ି ଛଟପଟ ନର ଲକ୍ଷଣ
ପାରିନଥିଲେ ବି ନିଜକୁ ନିବାରି
ନର ଦେହୀ ଶ୍ରୀରାମ ଭଗବାନ ।
ଶ୍ୟାମଘନଙ୍କର ମୋହନ ବଂଶୀର
ମୂର୍ଚ୍ଛନାରେ ଥିଲେ ଗୋପୀ ମୋହିତ
ଚାଖି ଭାବରସ ହୁଏ ବିମୋହିତ
ଚକାବଦନକୁ ଅନାଇ ଭକ୍ତ ।
ମୋହ ଜାଲଟିକୁ କାଟି ଉଡିଯିବା
ମନ ପକ୍ଷୀ ପକ୍ଷେ ନୁହେଁ ସମ୍ଭବ
ଧୀରେଧୀରେ ଚିତ୍ତ କେବଳ ଶୋଧନେ
କେଉଁ ଜନ୍ମେ ପଦ୍ମଲାଭ ବି ଲାଭ ।
ମୋହ କୂପେ ପଡ଼ି ଦୁଃଖ କ୍ଳେଶ ବରି
ଭୁଲଇ ମାନବ ମୁକତି ପଥ
ଚେତନା ଜଗାଇ ଏଥିରୁ ବାହାରି
ହୋଇପାରେ କେହି ବି ବୋଧିସତ୍ତ୍ବ ।
ଭବ ମୋହେ ଥାଇ ମୋହିତ ନହୋଇ
ସାଜନ୍ତା କେହି ରାଜର୍ଷି ଜନକ
ଦୁନିଆ ବୁକୁରେ ତାହାର କରମ
ନବ ଦିଗନ୍ତର ନବ ଆଲୋକ ।
ମୋହେ ଘାରି ହୋଇ କି ଲାଭ ମିଳଇ
ଯେବେ ନ ହୋଇଲା ତା' ଐଶ୍ୱରୀୟ
ତାଙ୍କ ଐକାନ୍ତିକ ପ୍ରେମରେ ପତିତ
ହେଲେ ସିନା ଜୀବ ତୋଳିବ ଜୟ ।
