ସାଧ୍ୟ ମତେ.....
ସାଧ୍ୟ ମତେ.....
କହିବା ସହଜ କରିବାଟା କଷ୍ଟ
ବୁଝନ୍ତିନି ସେହି ଜନେ
ହାତେ ମାପିଣ ତ ଚାଖଣ୍ଡେ ଚାଲିରେ
ତଥାପି ଦୁନିଆଁ କ୍ଷୁଣେ।
ମନ ତଳର ସେ ଅବ୍ୟକ୍ତ କୋହକୁ
ଚାପିବାକୁ ଡର ଲାଗେ
ତଟିନୀର ପରି କେଉଁ ଦିନ ସିଏ
ଲଙ୍ଘିବ ପ୍ରବଳ ବେଗେ।
ଛାତି ତଳେ ଥିବା ଦୁଃଖର ବରଫ
ଆଶ୍ବାସନେ ବୋହି ଯାଏ
ଆଉ କେବେ ପୁଣି ପ୍ରତାରଣା ଦେଖି
ତୁଷାର ଜମାଟ ହୁଏ।
ସବୁ ବୁଝି ହୁଏ ସବୁ ଦେଖି ହୁଏ
ତଥାପି ନିରବି ଯାଏ
ଡରଲାଗେ ପରା ଉତ୍ତରା ପବନେ
ଝଡ଼ର ସୂଚନା ଦିଏ।
ଆଖିରେ ଦେଖିବ କହିବନି କିଛି
ଆପଣାର ହେଇଥିବ
ପାଟି ଖୋଲିଦେଲେ ଅଦିନ ମେଘ ଟା
କାହୁଁ ଆସି ବରଷିବ।
ସହିବା ଲୋକଟି ମହତ ଅଟଇ
କିବା ମିଳେ କୋଳାହଳେ
ଯନ୍ତ୍ରଣାକୁ ତୁମେ ନୀଳକଣ୍ଠ ପରି
ଚାପିଧରି ଛାତିତଳେ।
ଆପଣା କର୍ତ୍ତବ୍ୟ କରିଚାଲ ତୁମେ
ନିଜ ସ୍ଵାର୍ଥ ପରା ଭୁଲି
ଭଲ ଅବା ମନ୍ଦ ଯାହା ବି କୁହନ୍ତୁ
ନିଜ ପଥେ ଯାଅ ଚାଲି।
କର୍ମ ହିଁ ଜୀବନ କର୍ମ ହିଁ ତ ଧର୍ମ
ସବୁ ଯଦି ଜାଣିଅଛ
କାହିଁପାଇଁ ତେବେ ଅଧରୁ ତୁମର
ହସକୁ ତ ଲୁଚାଉଛ।
ପଞ୍ଚ ଅଙ୍ଗୁଳି ତ ନୁହଁଇ ସମାନ
ବିହି ଦେଇଛି ଚେତାଇ
ସମ ଫଳ କେବେ ମିଳିବନି ଜାଣି
ଛଟପଟ ହେଉ କାହିଁ।
ଆପଣାର ଭାବି ଭଲ ବାଟ ପରା
ବତାନ୍ତି ନିଜର ଜନେ
ତୁମ ସାଧ୍ୟ ମୋତେ କରିତ ପାରିଲେ
ଖୁସି ହୁଅନ୍ତି ସେମାନେ।
