ଗାଆଁ ମାଟି
ଗାଆଁ ମାଟି
ଗାଆଁ ଥିଲା ଆମ ଆପଣାର ଅତି
ସରଗଠୁ ସୁଶୀତଳ
ତା ମାଟିକୁ ଥରେ ଛୁଇଁ ଦେଲେ ପରା
ନାଚିଯାଏ ମନ ମୋର।
ଲୋଡା ତ ନଥିଲା ଆମ ପିଲାଦିନେ
ପାଦରେ ଚପଲ ପରା
ଖାଲି ପାଦେ ଆମେ ଡେଇଁ ବୁଲୁଥିଲୁ
ଖେଳୁ ଥିଲୁ ଗାଆଁ ସାରା।
ମାଟି ଆମ ମାଆ କରି ବିବେଚନା
ତା କୋଳେ ତ ଖେଳୁ ଥିଲୁ
ପାଦେ ଲାଗିଥାଏ ମାଟି ଆସ୍ତରଣ
ତଥାପି ବି ଚାଲୁଥିଲୁ।
ଗାଆଁ ଦାଣ୍ଡ ଆମ ପୂଣ୍ୟ ଶ୍ରୀକ୍ଷେତ୍ର ଯେ
ଆମେ ଭାବୁଥିଲୁ ମନେ
ପୋଖରୀ କୂଳରେ ବନିଶୀ କଣ୍ଟାରେ
ମାଛ ଧରୁ ସାଙ୍ଗମାନେ।
ପଦ୍ମଫୁଲ ତୋଳି ଗାଆଁ ପୋଖରୀରୁ
ଘରେ ଦେଉଥିଲୁ ଆଣି
ମାର୍ଗଶିର ମାସେ ମହାଲକ୍ଷ୍ମୀ ପୂଜା
ଶୋଭା ପାଏତ ନଳିନୀ।
ସେହି ପିଲାଦିନ ଝୁରୁଛି ମୁଁ ଆଜି
ଗାଆଁ ମାଟି ଛୁଇଁ ଦେଲେ
ଅତୀତକୁ ପରା ମନେ ପକାଉଛି
ଫେରନ୍ତା କି ଆଉଥରେ ।
