ପାପ
ପାପ
କେଉଁ ଜନମରେ କି ପାପ କରିଛୁ
କହି କି ପାରିବୁ ପୋକ
ପଚାସଢା ଏହି ମଇଳା ଖାଇ ତୁ
କିପରି ମେଣ୍ଟାଉ ଭୋକ ।
କେବେଠାରୁ ଏହି ଦୁର୍ଦ୍ଦଶା ଭୋଗୁଛୁ
ନର୍ଦ୍ଦମା ଭିତରେ ଥାଇ
କର୍ମଫଳ ପାଇଁ ଏ' ଜନ୍ମେ କିଅବା
ରହିଛୁ ନରକେ ଯାଇ ।
ସତ କହିଦେଲେ ଜୀବନରେ ଆଉ
ସେ ପାପ କରିବି ନାହିଁ
ମନେ ପଡୁନାହିଁ ମୋର ପାପ କଥା
ଯେତେ ଚେଷ୍ଟାକଲେ କାହିଁ ।
ମିଛ କହିଥିଲୁ ଚୋରି କି କରିଲୁ
ବୁଦ୍ଧି କି ନଥିଲା ତୋର
ନାରୀହତ୍ୟା ଅବା ଶିଶୁ ହତ୍ୟା କରି
ଭୋଗୁଛୁ ନରକ ଘୋର ?
କୁତ୍ସା ରଟି ରଟି କଳହ ଭିଆଇ
ଭାଙ୍ଗିଛୁ କି କାହା ଘର
ଧର୍ଷଣକରି କି 
; ଏ ଜନ୍ମ ପାଇଲୁ
ନଥିଲା କି ମନେ ଡର ?
ଦାନ ଦୟା ଧର୍ମ ପାସୋରି ସଭିଙ୍କୁ
ମଣି ନାହୁଁ କିରେ ହେୟ
ଋଣଗ୍ରସ୍ତ ହୋଇ ମରିଥିଲୁ କିବା
ଶୁଝି ନପାରି ତୋ' ଦେୟ ?
କୁଳରେ କଳଙ୍କ ଲଗାଇ ଥିଲୁ କି
କେବେ ହୋଇ ବ୍ୟଭିଚାରୀ
ଦେହ ଲାଳସାରେ ଲମ୍ପଟ ହୋଇ ତୁ
ଧର୍ଷଣ କଲୁ କି ନାରୀ ?
ବ୍ରହ୍ମହତ୍ୟା କିମ୍ବା ଗୁରୁହତ୍ୟା ସହ
ବଧ କି କରିଲୁ ଗାଈ
ଭୃଣହତ୍ଯା ଭଳି ଜଘନ୍ୟ ପାପରେ
ଏ ଜନ୍ମ କି ଅଛୁ ପାଇ ?
କହ କହ ପୋକ ତୋର ସେ ବୃତ୍ତାନ୍ତ
କରିଥିଲୁ ଯାହା ପାପ
ସତର୍କ ହେବି ମୁଁ ସହିବି ପଛକେ
ଏବେଠାରୁ ଶୋକତାପ ।