ଭାରତ ମୋର ମାଆ
ଭାରତ ମୋର ମାଆ
ସକାଳ ହୁଏ ଯେଉଁ ଦେଶରେ
ଶୁଭ ଶଙ୍ଖର ନାଦେ ।
କୋଟି ପ୍ରଣତି ଢାଳୁଛି ଆଜି
ସେହି ମାଆର ପାଦେ
ବଢିଛି ଯା'ର ସୁନ୍ଦର କୋଳେ
ରଖିବି ତା'ର ନାଆଁ ।
ପୁଣ୍ୟ ଭୂମି ସେ ଏହି ଧରାରେ
ଭାରତ, ମୋର ମାଆ
ଭାରତୀଙ୍କର ପୁଣ୍ୟ ମନ୍ଦିର
ବେଦ ପ୍ରସୂତ ପୀଠ ।
ଜାତି ଧରମ ବର୍ଣ୍ଣ ବୈଷମ୍ୟ
ନାହିଁ,ଏକାଗ୍ର ଚିତ୍ତ ।।
ପଣତ ତା'ର ମମତା ଘର
ବକ୍ଷେ ରୁକ୍ଷତା ନାହିଁ ।
ସୁନ୍ଦର,ଚିର ସୁନ୍ଦର ତା'ର
ସାଗର,ବେଳା ଭୂଇଁ ।।
ଶୀତଳ ଶାନ୍ତ ନଦୀ ଝରଣା
ଯା' ବକ୍ଷ ଚୁମି ବହେ ।
ସୁନ୍ଦର ସୁଶ୍ରୀ ସବୁଜ କ୍ଷେତ
ଦେଖିଲେ ମନ ମୋହେ
ମନୋରମ ତା' ଗିରି କନ୍ଦର
ନାହିଁ ନ ଥିବା କାନ୍ତି ।
କୋଳରେ ତା'ର ଜନମ ନେଇ
ଲଭିଛି ସ୍ୱର୍ଗ ଶାନ୍ତି ।।
ଶାନ୍ତି,ମୈତ୍ରୀର ବାରତା ନେଇ
ତାଆରି ଧୂଳି ମାଟି।
ବିଶ୍ୱ ଭିତରେ ପ୍ରୀତି ବିତରେ
ଫୁଲାଇ ନିଜ ଛାତି ।।
ସୁରୁଜ ତା'ର କି ମନୋହର
ସୁନା ସପନ ଦିଏ ।
ସେଇ ସପନେ ତ୍ରିରଙ୍ଗା ତା'ର
ପୁଣ୍ୟର ଗୀତି ଗାଏ ।।