STORYMIRROR

Sanjukta Rout

Abstract

2  

Sanjukta Rout

Abstract

ସ୍ଵପ୍ନ

ସ୍ଵପ୍ନ

1 min
3.2K

ଦେଖୁଥିଲି ସ୍ଵପ୍ନ , ମିଳନର ଗୀତି 

  ଗାଉଥିଲେ ସାଥୀ ହୋଇ 

ଝରି ପଡୁଥିଲା  ସୁନୀଳ ଗଗନୁ 

   ବର୍ଷା ଝର ଝର ହୋଇ 


ମନ୍ଦ ମନ୍ଦ ହୋଇ ମଳୟ ପରଶେ 

    ଫୁଲରାଣୀ ଖେଳୁଥିଲେ 

ଭ୍ରମର ଗୁଞ୍ଜନ  ଆଣେ ଶିହରଣ 

    କମଳ କୁସୁମ ମେଳେ 


ମଙ୍ଗଳ ଗୀତିକା ଗାଉଥିଲେ ପକ୍ଷୀ 

   ମିଳିତ କାକଳି ସ୍ଵନେ 

ନିର୍ଝରିଣୀ ଝର ଝର ଝରୁଥିଲା 

   ଗୀତ ଗାଇ ଖୁସି ମନେ 


ଭରା ନଈ କୂଳେ କାଶତଣ୍ଡି ବଣ 

   କାଚକେନ୍ଦୁ ପରି ପାଣି 

ନୀଳ ଆକାଶର ପୂନେଇଁ ଜହ୍ନଟା 

   ମୁହଁ ଦେଖୁଥିଲା ପୁଣି 


ଉପବନ ମଧ୍ଯୁ    କୁସୁମ ସୁବାସ 

    ଶୀତଳ ସମୀରେ ମିଶି  

ଭରି ଦେଇଥିଲା ପରାଣେ ପରାଣେ

     ମାଦକତା ଆଉ ଖୁସି 


ପାହିଗଲା ରାତି ଭାଙ୍ଗିଗଲା ସ୍ଵପ୍ନ 

    ହାତ ରହିଗଲା ଖାଲି 

ପ୍ରେମର ସଉଧ  ରହିଗଲା ଅଧା 

    ଥିଲା ଖାଲି ମରୁବାଲି 


ସବୁ ସ୍ଵପ୍ନ କେବେ ସତ ହୁଏ ନାହିଁ 

   ସବୁ ଇଚ୍ଛା ବି ପୁରେନା  

ସବୁ ଆଶାର ବି  ନାହିଁ ପ୍ରତିକାର 

    ବିଧିର ଏ ବିଡ଼ମ୍ବନା 


ସଂକଳ୍ପରେ ବ୍ରତୀ ସାଧନାରେ ଦୃଢ଼ 

    ମନ ଯଦି ସ୍ଥିର ଥାଏ 

କିଛି କିଛି ଇଚ୍ଛା  କିଛି କିଛି ସ୍ଵପ୍ନ 

    ଅବଶ୍ୟ ପୂରଣ ହୁଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract