STORYMIRROR

Sanjukta Rout

Tragedy

3  

Sanjukta Rout

Tragedy

ନାରୀ ନୁହେଁ ସୁରକ୍ଷିତା

ନାରୀ ନୁହେଁ ସୁରକ୍ଷିତା

1 min
27


ସ୍ଵାଧୀନ ଭାରତେ ନାରୀଟିଏ ବୋଲି  

  କହିବାକୁ ଲାଗେ ଲାଜ 

ସଂସ୍କାର ସାଧୁତା  ଦେଖାଣିଆ ଏଠି 

   ନିର୍ଦ୍ଦୟ ବର୍ବର କାର୍ଯ୍ୟ  


ଦୁରାଚାରୀଙ୍କର  ଘୃଣ୍ୟ ଆଚରଣ 

   ସହି ହେଉ ନାହିଁ ଜମା  

ଲମ୍ପଟ ନିର୍ଲଜ   ଦୁର୍ଦ୍ଦାନ୍ତ ଜାରଜ

   ଟପି ଗଲେ ସବୁ ସୀମା  


ଲୋମମୂଳ ମୋର  ଟାଙ୍କୁରି ଉଠୁଛି 

   ହିଂସ୍ରତା ପ୍ରବୃତ୍ତି ଦେଖି 

ପଶୁ ଠାରୁ ହୀନ  ଆଜି ଏ ମଣିଷ

   ବଳାତ୍କାର ତା'ର ସାକ୍ଷୀ  


ଅନ୍ତରାତ୍ମା ମୋର  ବିଳାପ କରୁଛି

  ଦୁଃଖେ ହୋଇ ଜର୍ଜରିତ 

କେତେ ଦିନ ଆଉ ନାରୀର ଜୀବନ 

   ହେବ କୁହ ଭୟତ୍ରସ୍ତ ??  


ମୋ' ଦେଶର ନାରୀ ଚିର ହୀନିମାନୀ

   କାହିଁକି ଏତେ ହିନସ୍ତା ? 

ନିତି ନିତି ଏଠି  ଭୋଗଇ କଷଣ  

   କହି ନୁହେଁ ତା' ଅବସ୍ଥା  


ନାରୀ ମାଂସ ଲୋଭୀ ପୁରୁଷ ଆଚରେ  

   ନୃଶଂସତା ବର୍ବରତା  

ଗୃହେ କାର୍ଯ୍ୟ କ୍ଷେତ୍ରେ ରାସ୍ତା କି ଘାଟରେ 

   ନାରୀ ନୁହେଁ ସୁରକ୍ଷିତା   


ସୁରକ୍ଷିତ ନୁହେଁ  ନାରୀର ଜୀବନ 

  ଆଜି ଏ ସ୍ଵାଧୀନ ଦେଶେ 

କାମାନ୍ଧ ପ୍ରବର   ପାଷଣ୍ଡ ବର୍ବର

   ନିତି ତା' ରକତ ଶୋଷେ  


ହୁଏ ପରିତୃପ୍ତ  ତା' କାମନା ଜ୍ଜ୍ଵାଳା  

    ନାରୀତ୍ଵ କରି ଲୁଣ୍ଠିତ  

କ୍ଷଣିକ ବାସନା   ଚରିତାର୍ଥ ପାଇଁ 

   ଭୁଲିଯାଏ ହିତାହିତ  


ପାର୍ଥିବ ଶରୀର   କରି ଛିନ୍ନଭିନ୍ନ

   ମିଳେ ନାହିଁ ତାକୁ ଶାନ୍ତି  

ଜୀଅନ୍ତା ଜଳାଇ   ପ୍ରମାଣ ଲିଭାଇ 

   ପାଏ ସେହୁ ଆତ୍ମତୃପ୍ତି  

 

ଗଣତନ୍ତ୍ର ନାମେ  କଳଙ୍କ ଲାଗୁଛି 

   ବିପନ୍ନ ଶାସନ ନୀତି 

ଖବର ନାହିଁ ତ  ହଜିଲେଣି କେତେ

   ହଜୁଛନ୍ତି ନିତି ଏଠି  


ଘଟିଗଲେ କିଛି  ଦିନ ଦିପ୍ରହରେ 

   ନେତା ମନ୍ତିରୀ ଏକାଠି  

ପ୍ରେସ ମିଟ୍ କରି  ଗଣ ମାଧ୍ୟମରେ 

  ଜୋର୍ ଧରେ ରାଜନୀତି  


ନାରୀ ସ୍ଵାଧୀନତା  ନାରୀ ଜାଗରଣ 

   ସବୁ ଏଠି ପ୍ରହସନ 

 ଗଣ ବଳାତ୍କାର  ନାରୀତ୍ଵ ଶୋଷଣ 

   ବଢ଼ି ଚାଲେ ଦିନୁଦିନ  


ମିଛ ନାରାବାଜି  ଡିଣ୍ଡିମ ବାଜୁଛି 

  ନାରୀ ସୁରକ୍ଷାର ନାମେ 

ଯୋଜନା ବାଟରେ ଯୋଜନା ଚାଲିଛି 

  ଆସୁ ନାହିଁ କିଛି କାମେ   

   

ଲାଇସେନ୍ସ ଆଉ  ପୁରସ୍କାର ଯହିଁ  

   ମଦ ବେପାରୀଙ୍କୁ ଭାଇ 

ନେତାଏ ଦିଅନ୍ତି  ଦୋଷୀଙ୍କୁ ସୁରକ୍ଷା 

   ନାରୀର ସମ୍ମାନ କାହିଁ  


ମଣିଷ ପଣିଆ   ମରିଗଲା କିବା

   ମାନବିକତା ନଗଣ୍ୟ  

ମାନବୀୟ ଗୁଣ ପାଇଲା କି ଲୋପ  

   ଆର୍ଯ୍ୟାବର୍ତ୍ତ ବୀର ଶୂନ୍ୟ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy