STORYMIRROR

Sanjukta Rout

Classics

3  

Sanjukta Rout

Classics

ଉତ୍କଳ ମାଟିର ମଣି

ଉତ୍କଳ ମାଟିର ମଣି

1 min
224


ଉତ୍କଳ ମାଟିର    ସୁଯୋଗ୍ୟ ସନ୍ତାନ 

      ଥିଲ ହେ ଉତ୍କଳମଣି 

ଶୁଭେ ଏ ମାଟିର କୋଣେ ଅନୁକୋଣେ 

      ତୁମରି ମହତ ବାଣୀ 


ସେବା ଓ ଅହିଂସା   ଥିଲା ତୁମ ବ୍ରତ 

     ସରଳ ଶାନ୍ତ ସ୍ଵଭାବ 

କର୍ମରେ ଧର୍ମରେ     ଫୁଟିଉଠୁଥିଲା 

     ପର ଉପକାର ଭାବ 


ହେ ଦାସେ ଆପଣେ  ବିବେକ ପଣରେ 

     ଥିଲ ବଡ଼ ସ୍ଵାଭିମାନୀ 

ଏ ଜାତିର ତୁମେ     ଥିଲ ଗଉରବ 

    ଜ୍ଞାନୀ ପଣରେ ସୁଜ୍ଞାନୀ 


ଉତ୍କଳ ଜନନୀ     ଝୁରେ ନିତିନିତି 

    ତୁମ ପରି କେ ହୋଇବ 

ମରଣ ମୁଖରେ     ନିଜ ପୁତ୍ର ଛାଡି

    ଦେଶ ସେବା କେ କରିବ


ବନ୍ୟା ପ୍ରପୀଡ଼ିତ   ଦୁଃଖୀ ଦରିଦ୍ରଙ୍କ

    ଥିଲ ତୁମେ ପ୍ରାଣବନ୍ଧୁ

 ଏମିତି ମଣିଷ  କୋଟିରେ ଗୋଟିଏ 

     ହୃଦୟ ଦୟାର ସିନ୍ଧୁ 

      

ମାତୃଭାଷା ପ୍ରୀତି  ସ୍ଵଦେଶ ଚେତନା 

   ରକ୍ତେ ରକ୍ତେ ତୁମ ଲେଖା 

ବକୁଳ ବନର    ବନ ବିଦ୍ୟାଳୟ  

     ନୀତି ଆଦର୍ଶର ଶିକ୍ଷା


ସମାଜ କାଗଜ    ପ୍ରତିଷ୍ଠାନ ତୁମ

    ଲକ୍ଷ ଥିଲା ଜାଗରଣ 

ଉତ୍କଳ ଜାତିର    ଚିର ସ୍ମରଣୀୟ 

    କୀର୍ତ୍ତି ତୁମ ଅମଳିନ


ଭାଷା ସାହିତ୍ୟର  ତୁମେ ସଂରକ୍ଷକ 

    ହେ ସାରସ୍ଵତ ସାଧକ 

ପ୍ରେରଣା ପ୍ରଦାୟି   ପ୍ରତିଟି ସର୍ଜନା 

    ତୁମେ ଶ୍ରେଷ୍ଠ ସାହିତ୍ୟିକ 


ସ୍ଵତନ୍ତ୍ର ଉତ୍କଳ   ଗଠନରେ ତୁମେ 

    ହୋଇଥିଲ ଆଗୁସାର  

ସଦା ସଚେତନ   ଜାଗ୍ରତ ପ୍ରହରୀ 

    ଥିଲ ଏହି ଉତ୍କଳର 

 

ଉତ୍କଳ ମାଟିର  ଥିଲ ତୁମେ ଗାନ୍ଧୀ 

    ସ୍ଵାଧୀନ ଚିନ୍ତା ଚେତନ 

ସ୍ଵାଧୀନତା ପାଇଁ ଉତ୍କଳୀୟ ପ୍ରାଣେ 

    ଭରିଥିଲ ଦିଗ୍ଦର୍ଶନ  

    

ଉତ୍କଳ ଆକାଶେ ଜ୍ୟୋତି ସମ ଚିର  

    ଝଟକୁଥିବ ହେ ବୀର 

ତୁମ ଜନ୍ମଦିନେ   ପୟରେ ଜଣାଉ 

    ଶତ କୋଟି ନମସ୍କାର


              


Rate this content
Log in

Similar oriya poem from Classics