ଫଗୁଣ
ଫଗୁଣ
ଫଗୁଣକୁ ନେଇ ବସନ୍ତ ଆସିଲେ
ଆନମନା ମନ ପକ୍ଷୀ
ମନ ଉପବନେ ସ୍ମୃତି ପ୍ରଜାପତି
ଡେଣା ଝାଡ଼ି ମାରେ ଆଖି
ଯୌବନ ଜୁଆର ପ୍ରୀତିର ସମ୍ଭାରେ
ପ୍ରତି ଅଙ୍ଗେ ଅଙ୍ଗେ ଖେଳେ
ବୟସ ଭୁଲାଇ ମନ ଚହଲାଇ
ମଦ୍ ହୋସେ ପୀରତି ଭରେ
ଭାବ ବନ୍ଧନକୁ ସ୍ଵପ୍ନରେ ସଜାଇ
ପ୍ରେମର ଉଆସ ତୋଳେ
ଆତ୍ମୀୟତା ସ୍ପର୍ଶେ ସେଇ ଉଆସରେ
ସ୍ଵର୍ଗ ଅଇଶ୍ଵର୍ଯ୍ୟ ଭରେ
ଅତୀତ ଗର୍ଭରେ ସୁପ୍ତ ଥାଏ ଯେଉଁ
ଅଲିଭା ପ୍ରୀତି ମୁହୂର୍ତ୍ତ
ନିଝୁମ ରାତ୍ରିର ନିଃଶବ୍ଦ ପ୍ରହରେ
ମନେ ହୁଏ ଉଦ୍ଭାସିତ
କିଛି ସ୍ମୃତି ପୁଣି ଚିରଞ୍ଜିବୀ ପ୍ରାୟ
ହୃଦୟରେ ବଞ୍ଚି ରହେ
ଯନ୍ତ୍ରଣା ଜର୍ଜର ହୃଦୟ ଗାତ୍ରରେ
ପ୍ରୀତିର ପ୍ରଲେପ ଦିଏ
ଫଗୁଣର ଫଗୁ ଦରଦୀ ମନରେ
ଇନ୍ଦ୍ରଧନୁ ରଙ୍ଗ ଭରେ
ପ୍ରୀତି ପଥେ ଯେତେ ବାଧାର ଅର୍ଗଳ
ଚୂର୍ଣ୍ଣୀଭୂତ ସବୁ କରେ
