ପ୍ରେମର ବିକଳ୍ପ ନାହିଁ
ପ୍ରେମର ବିକଳ୍ପ ନାହିଁ
ପ୍ରେମ ନୁହେଁ ଏକ ମିଛ ଆକର୍ଷଣ
ଅବା କାମନାର ଜ୍ଵାଳା
ଅଟେ ସଦା ସିଏ ସ୍ଵର୍ଗୀୟ ଭାବନା
ପବିତ୍ର ଜାହ୍ନବୀ ଧାରା ॥
ପ୍ରେମର ଶୁଦ୍ଧତା ପରଖିବା ଭାଇ
ନୁହଁଇ ଏତେ ସହଜ
ସାଜିଛି ମହଙ୍ଗା ସମ୍ପର୍କ ବଜାରେ
ବହୁ ମୂଲ୍ୟ ସେହି ଚିଜ ॥
ପ୍ରେମର ପୂଜାରୀ ପାରେ ଅନୁଭବୀ
ଆତ୍ମାର ସ୍ତରରେ ଯାଇଁ
ଶାଶ୍ଵତ ସୁନ୍ଦର ସତ୍ୟ ଚିରନ୍ତନ
ପ୍ରେମର ବିକଳ୍ପ ନାହିଁ ॥
ପର୍ବତରେ ଭାଇ ଫୁଟି ଉଠେ କଇଁ
ଶୁଦ୍ଧ ପ୍ରେମ ସ୍ପର୍ଶ ପାଇ
ଅକ୍ଷତ ସମ୍ପର୍କ ହୋଇଯାଏ କ୍ଷୂର୍ଣ୍ଣ
ଯହିଁ ପ୍ରେମ ସ୍ପର୍ଶ ନାହିଁ ॥
ରୁକ୍ଷ ହୃଦୟ ତ ବୁଝେ ନାହିଁ କେବେ
ପ୍ରେମର ଏ ପରିଭାଷା
ଧନ ଗର୍ବେ ମତ୍ତ ଆଖି ଥାଇ ଅନ୍ଧ
ହଜାଏ ନିଜର ଦିଶା ॥
ଯେଉଁ ହୃଦୟର ସାଗର ବେଳାରେ
ନ ଉଠେ ପ୍ରେମର ଢେଉ
ଜୀଇଁବା ମରିବା ସମାର୍ଥବୋଧକ
କି ଜୀବନ ସିଏ ଆଉ ॥
ଅଢ଼େଇ ଦିନର ଜୀବନଟା ଏହି
ନିଃଶ୍ବାସେ ବିଶ୍ୱାସ ନାହିଁ
ଖୁସିର ସଉଦା ସାଉଁଟିବା ପାଇଁ
ସଭିଏଁ ତ ଅଛେ ଜୀଇଁ ॥
ପ୍ରେମ ଯଦି ନାହିଁ ଜୀବନଟା ଜାଣ
ମରୁ ମରୀଚିକା ସମ
ପାହାଡ଼ ପ୍ରମାଣେ ମୁହୂର୍ତ୍ତମାନ ଯେ
ମାଡିବସେ ଯେହ୍ନେ ଯମ ॥

