STORYMIRROR

Sanjukta Rout

Inspirational

3  

Sanjukta Rout

Inspirational

କରିଵା ଟିକେ ଆତ୍ମ ସମୀକ୍ଷା

କରିଵା ଟିକେ ଆତ୍ମ ସମୀକ୍ଷା

1 min
347


ନବ ରାତ୍ର ପୂଜା ବିଧି ହେଲା ଶେଷ 

 ମାତା ଆସି ପୁଣି ନେଲେ ବିଦାୟ  

ସତ୍ୟ ଧର୍ମ ନ୍ୟାୟ ପଥ ବରିଛେ କି 

  ଆତ୍ମ ସମୀକ୍ଷାର ଏହି ସମୟ 


ଆଚରଣେ ଅବା ଉଚ୍ଚାରଣେ କିବା  

  ଅଛି କୁହ ଆମ ଦିବ୍ୟତା ଭାବ 

ଦମନ କରି କି ପାରିଛେ ସତରେ 

 ମନରୁ ଆମର ହିଂସା କି ଲୋଭ 


ପାରିଛେ କି ମାରି ନିଜ ଭିତରର 

  ଅସୁର ପ୍ରକୃତି ଅସୁର ବୁଦ୍ଧି 

ଷଡ ରିପୁ ପୂର୍ଣ୍ଣ  ଅନ୍ତର ବାହାର  

 କେମିତି ଭାବୁଛେ ମିଳିବ ସିଦ୍ଧି


ପୂଜା ମଣ୍ଡପରେ ମାଆଙ୍କୁ ବସାଇ

ମଦ ମାଂସ ଲୋଭେ ମାତିଛି ଭେଜା 

ନାରୀ ପ୍ରତି ଯଦି  ନାହିଁ ସନମାନ 

 ବୃଥା ଅଟେ ଆମ ମୃଣ୍ମୟୀ ପୂଜା


କାମନା ବାସନା ତାମସିକ ଭାବ 

  ସ୍ଵଭାବରେ ଯଦି ରହିଛି ଲୁଚି 

ପର ଧନ ମାନେ ଈର୍ଷା ବଢେ ମନେ 

 ହୀନ ଚକ୍ରାନ୍ତରେ ବଢୁଛି ରୁଚି 


ଦୁଃଖୀ ରଙ୍କି ଦେଖି ମନରେ ଆମର 

  ଆସୁ ନାହିଁ ଯଦି ଦୟା କରୁଣା 

ଦାନ ଧର୍ମ ନାମେ ତୁଚ୍ଛା ପ୍ରହସନ 

 ସବୁ ଖାଲି ଏଠି ମିଛ ବାଜଣା 


ଭକ୍ତି ନାହିଁ ହୃଦେ ଖାଲି ଦେଖାଣିଆ

 ମିଛେ ମାଆ ଡ଼ାକ ପଡ଼ିଛି ହୁରି  

ସ୍ଵଚ୍ଛ ନାହିଁ ଯଦି    ମନ କି ହୃଦୟ 

 ମାଆ କି ପାପରୁ ଦେବେ ଉଦ୍ଧାରି


ଅନ୍ୟକୁ ଆଙ୍ଗୁଳି ନ ଦେଖାଇ ଭାଇ 

  ନିଜକୁ କରିବା ପରିବର୍ତ୍ତନ 

ରୁଗ୍ଣ ମନୋଭାବ  ହେବ ରୂପାନ୍ତର 

  ହୃଦୟେ ଆସିବ ଦିବ୍ୟ ଚିନ୍ତନ 

 

ଶୁଦ୍ଧତା ଦିବ୍ୟତା ଯେଉଁ ମନେ ବନ୍ଧା  

ଶୋଭା ପାଏ ସେଠି ମାଆଙ୍କ ନାମ 

ବିଜୟା ଦଶମୀ   ନବ ରାତ୍ର ପୂଜା 

 ସାର୍ଥକ ହୋଇବ ମରତେ ଆମ


ଆଜି ଦଶହରା   କରିବା ଶପଥ  

  ମନର ବିକାର କରିବା ନାଶ 

ମାନବ ଅନ୍ତରେ  ମହନୀୟ ଭାବ 

 ଫେରାଇ ଆଣିବା ସରବେ ଆସ


ଦିବ୍ୟ ହେବ ଯଦି ଧରା ଧାମ ଆମ 

   କାହିଁ ସ୍ଥାନ ଏଠି ମହିଷାସୁରେ  

ମନର ସଂକଳ୍ପ   ଅଛି ଯଦି ସ୍ଥିର 

  ସ୍ଵର୍ଗ ସୁଖ ପରା ଅନତି ଦୂରେ           

           

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational