STORYMIRROR

Sunanda Kantha

Inspirational

5  

Sunanda Kantha

Inspirational

ଅପରାଜିତା

ଅପରାଜିତା

2 mins
196

ମାତୃଗର୍ଭରେ ଯେବେ ଭ୍ରୁଣ ଟିଏ ଥିଲି

ମାଆ ସିନା କଷ୍ଟ ପାଉଥିଲା

ସେହି ଜାଗାଥିଲା ସୁରକ୍ଷିତ ସ୍ଥାନ

ଏବଂ ଖୁସିର ଗନ୍ତାଘର ।


ସମୟକ୍ରମେ ଯେବେ ଜନ୍ମ ହେଲି କନ୍ୟା ଟିଏ

କେହି ଥିଲେ ସୁଖୀ ପୁଣି କେହି ହେଲେ ଦୁଃଖୀ

କିନ୍ତୁ ମାଆ ମୋତେ କେବେ

ଅବହେଳା କରେ ନାହିଁ ।


ଶୈଶବ, କୈଶୋର ସରିଗଲା

କେତେବେଳେ ଯୌବନ ରେ ପାଦ ଦେଲି

ଆସିଗଲା ସମସ୍ତ ପ୍ରକାର ବାଧାବିଘ୍ନ

ଲାଗିଲା ଯେମିତି ଆଉ କିଛି ସୁଖ ନାହିଁ ।


ନାରୀ ଟିର ପ୍ରଥମ କର୍ତ୍ତବ୍ୟ ସହିବା

ସମାଜ ତାକୁ କେତେ କଣ ଆଖ୍ୟା ଦିଏ

ହେଲେ ତାର ଜୀବନ ଶୈଳୀ କୁ

କିଏ ବା ଠିକ୍ ସେ ବୁଝିବ ।


ନିଜକୁ ଘର ଠାରୁ ବାହାର ଯାଏ

ସବୁଥିରେ ଧ୍ୟାନ ଦେବାକୁ ପଡ଼େ 

ନାରୀ ଦୃଷ୍ଟି ଦେଇଥାଏ ତାର ଚାରିପାର୍ଶ୍ୱକୁ 

ଏ ସୃଷ୍ଟି ର ମୂଳ ତତ୍ତ୍ଵ କୁ ।


ଛୋଟ ରୁ ବଡ ସମସ୍ତଙ୍କୁ ଗୋଟିଏ ନଜରରେ ଦେଖିବା

ସୂର୍ଯ୍ୟ ଉଦୟରୁ ଅସ୍ତ ନାରୀ ଟିକୁ ନଥାଏ ନିସ୍ତାର

କେବେ ସେ ମା,କେବେ ସେ ସ୍ତ୍ରୀ , କେତେ ଯେ ଚରିତ୍ର

ହେଲେ ବି ନିନ୍ଦା ତାକୁ ଛାଡେନି ।


 ସୁଖ ବେଳେ ତାକୁ ସମସ୍ତେ ସାଥି କରନ୍ତି

ସେ ଯେବେ ଅସୁବିଧାର କିମ୍ବା ରୋଗ ର ଶିକାର ହୁଏ 

ପାଖରେ କେହି ନଥାନ୍ତି ସେ ନିଜେ ନିଜର ରକ୍ଷା କରେ 

ଏଇ ହେଲା ତାର ମହାନତା ।


ଛୁଆ ଏବଂ ସ୍ୱାମୀଙ୍କ ପାଈଁ ସେ ଡାକ୍ତର ସାଜି ଯାଏ

କେବେ ସେ ବିପଦ ସାମ୍ନା କରି ଦେବୀ ପାଲଟିଯାଏ

ତ୍ୟାଗ ର ଭଣ୍ଡାର କେବେ ସହନଶୀଳତାର ଗନ୍ତାଘର

ହେଲେ କାହିଁକି ସେ ସ୍ବୀକାର ହୁଏ ଘରୋଇ ହିଂସାର ।


ଏହି ଅବଦାନ କଣ ବଡ ନୁହେଁ

ନିଜକୁ ତିଳ ତିଳ କରି ଜାଳି

କେବେ ପୁଣି ନିଆଁ ରେ ଜାଳି ଦିଅନ୍ତି

ନଚେତ୍ ଧର୍ଷଣ ର ଯନ୍ତ୍ରଣାରେ ସେ ଆତ୍ମହତ୍ୟା କରେ ।


 ବିଜ୍ଞାନର ଅଗ୍ରଗତି ଫଳରେ ଜାଣୁଛନ୍ତି 

ଗର୍ଭରେ ପୁଅ କିମ୍ବା ଝିଅ

ଗର୍ଭାବସ୍ଥାରେ ବି ସେ ଅତ୍ୟାଚାରିତ

ହେଲେ ବି ସେ ଭେଦଭାବ ରଖେ ନାହିଁ ।


କିନ୍ତୁ ବୃଦ୍ଧାବସ୍ଥା ରେ କେହି ପଚାରନ୍ତିନି

ପୁଅ ଝିଅ ହୋଇଥାନ୍ତି ସ୍ୱାର୍ଥପର

ବିଦ୍ୟାଦାତ୍ରୀ ସାଜି ପାଠ ପଢ଼ାଏ ମଣିଷ କରେ

ହେଲେ ସନ୍ତାନ ବିଦେଶରୁ ଫେରେନି ।


କାହିଁ ତା ପ୍ରତି ଏ ଅବିଚାର

ସେ ତ ଆକାଶରେ ଉଡୁଛି, ଅଥଳ ସାଗରରେ ବୁଡୁଛି

ନିଜ ଜୀବନକୁ ବାଜି ଲଗାଇ

କେତେ ମହାନ୍ ମଣିଷକୁ ଜନ୍ମ ଦେଉଛି ।


ତଥାପି ସରେନାହିଁ ତାର ପରାକାଷ୍ଠା

ସନ୍ତାନ ସୁରକ୍ଷା ପାଇଁ ସେ ସିଂହ କୁ ଡରେନି

ଶିକ୍ଷା ର ଆରମ୍ଭ ହିଁ ନାରୀ

ସେ ଶକ୍ତିମୟୀ ତ କେତେବେଳେ ସର୍ବ ଦୁଃଖହାରିଣୀ ।


ଛୋଟବେଳ ଚାଟଶାଳୀ ରୁ ଆରମ୍ଭ କରି

ସଢେଇ ବାଲି ଖେଳ ରେ ସେ ହାର୍ ଜିତ୍ ର ବାଜି

ବିଷୟରେ ଅବଗତ ହେଇଛି

ମାତ୍ର ବୟସ କ୍ରମେ ଆଜି ସବୁ ଜଟିଳ ।


ସେ ହାରିବା ଜିତିବା ସବୁ ମିଛ ଥିଲା

 ଆଜି ସବୁ ସତ ଘଟୁଛି

ସତରେ କାହିଁକି ମୁଁ ଝିଅ ଟିଏ ହେଲି

କେତେଯେ ପ୍ରଶ୍ନ ଆସେ ମନରେ 


ସଭିଙ୍କ ମନଜିତିବାକୁ ଯାଇ ହାରି ଯାଇଛି

ସେ ଜୀବନ ଯୁଦ୍ଧରେ

ଦୁନିଆ ଜାଣିଛି କିନ୍ତୁ

ସେ ହିଁ ଅପରାଜିତା ଏ ମହିମଣ୍ଡଳରେ ।


ନାରୀ ସିଖେଇଛି ଏ ଦୁନିଆ କଣ

ଜିତିବା ଓ ହାରିବା ଭିତରେ ପାର୍ଥକ୍ୟ

ସେ ସର୍ବତ୍ର ବିଦ୍ୟମାନ

ବିଜୟୀର ମୂଳମନ୍ତ୍ର ହେଉଛି ନାରୀ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational