ପ୍ରଦୀପ ର ଅଭିଳାଷ
ପ୍ରଦୀପ ର ଅଭିଳାଷ
ପ୍ରଦୀପ ଟିଏ ମୁଁ ଜଳୁଥାଏ ନିତ୍ୟ
ଭସ୍ମ କରି ମୋର ଅଙ୍ଗ
ଲୋଡା ମୋ ଯେତିକି ସେତିକି ରେ ଖୁସି
ସେଇତ ମୋହର ଭାଗ୍ୟ ।
କେହି ଲୋଡ଼େ ମୋତେ ଦେବତା ପୂଜନେ
କେହି ଅବା ପଠନ ରେ
ଥିଲେ ବି ଯେଠାରେ କରେ ନାହିଁ ହେଳା
କର୍ତ୍ତବ୍ୟ ମୋ କରିବାରେ ।
ରାଜା ଅବା ରଙ୍କ ଧନୀ କି ଗରିବ
ଥାଏ ମୁଁ ସବୁରି ଘରେ
ଅପରେ ଆଲୋକ ଦେଖାଇ ନିଃଶେଷ
ଆନନ୍ଦ ମୋ ଜଳିବାରେ ।
ମାଟି ଘଟ ଅବା ସ୍ଵର୍ଣ୍ଣ କି ପିତ୍ତଳ
ଗଢା ରତ୍ନ ପଥରରେ
କରେ ନାହିଁ ହେଳା କର୍ମ କରିବାରେ
ଅନ୍ଧକାର ନାଶିବାରେ ।
ନାହିଁ ଅଭିଳାଷ ହେବା ପାଇଁ ମୋର
ସୂର୍ଯ୍ୟ ଚନ୍ଦ୍ର ତାରା ସମ
ଜାଣେ ମୁହିଁ କ୍ଷୁଦ୍ର ଜଳିବା ମୋ ଧର୍ମ
ଜଳି ନାଶୁଥାଏ ତମ ।
ହୋଇଥାଉ ପଛେ ଆୟୁ ମୋର ଅଳ୍ପ
ଜଳି ହୋଇଯାଏ ଶେଷ
ନ ହୁଏ ବିଚ୍ୟୁତ କର୍ତ୍ତବ୍ୟ ପଥରୁ
ଏତିକି ମୋ ଅଭିଳାଷ ।