ପ୍ରେମର ପରିଭାଷା
ପ୍ରେମର ପରିଭାଷା
ପ୍ରେମ ନୁହଁ କ୍ଷଣସ୍ଥାୟୀ ବାଲିଘର
ଭାଙ୍ଗିଯିବ ଯାହା ସମୟ ସାଗର ଲହରୀ ମାଡ଼ରେ
ପ୍ରେମ ଅଟେ ଶାଶ୍ଵତ ସତ୍ୟ ଚିରନ୍ତନ
ଲିପିବଦ୍ଧ ହୁଏ ଯାହା ଇତିହାସ ର ଅମର ପୃଷ୍ଠାରେ ।
ପ୍ରେମ ନୁହେଁ ମାଧ୍ୟମ ସେ କରିବାକୁ ଚରିର୍ଥାତ
କାମନା ବାସନା ଆଉ ଦୈହିକ କ୍ଷୁଧାର
ପ୍ରେମ ଅଟଇ ମିଳନ ଦୁଇଟି ପବିତ୍ର ଆତ୍ମାର
ଏକ ଐଶ୍ୱରୀୟ ଅନୁଭବ, ଶିହରଣ ସେ ଦିବ୍ୟତାର ।
ପ୍ରେମ ପାଇଁ ରାଧାକୃଷ୍ଣ ଆଜିବି ଅମର
ଆଜି ବି ଏକାମ୍ର କହୁଛି ଗାଥା କେଦାର ଗୌରୀର
ହୋଇପାରେ ପ୍ରେମ ର ପଥ କେବେ ପିଚ୍ଛିଳ ମାତ୍ର ନୁହଁ ତାମସା ଆଚ୍ଛନ୍ନ
ଅନାବିଳ ବିଶ୍ୱାସ ର ହସ୍ତ ଧରିଥିଲେ ଦୃଢ଼ କରି ହୁଏ ପ୍ରେମ ପୁଷ୍ପ ଆଭରଣ ।
ପ୍ରେମ ପରିଭାଷା ନଥାଏ କେଉଁ ଅଭିଧାନ ବା ପୋଥିରେ
ବରଂ ତାହା ଲୁଚିଥାଏ ମନର କେଉଁ ଏକ ନିଭୃତ୍ତ କୋଣରେ
ପ୍ରେମ କରାଏନି କେବେ ଦିଗଭ୍ରଷ୍ଟ ଅବା ଲକ୍ଷ୍ୟ ପଥ ରୁ ବିଚ୍ୟୁତ
ପ୍ରେମ ଏକ ଧ୍ରୁବତାରା ଈଶ୍ବରଙ୍କ ଏ
ସୃଷ୍ଟିରେ, ଏହା ହିଁ ତ ସତ୍ୟ।
ପ୍ରେମ ନୁହଁ ପଙ୍କିଳ, ସେ ସଦା ସତେଜ ପଙ୍କଜ
ଦେଖେନାହିଁ ପ୍ରେମ ରୂପ, ଜାତିଭେଦ ଅବା ଉଚ୍ଚନୀଚ
କରିନାହିଁ ଏହା କେବେ ଧନ ସମ୍ପତ୍ତି ତୁଳନା
ପ୍ରେମ ତ ପବିତ୍ର ଏହା କାଚ ଠାରୁ ସ୍ୱଚ୍ଛ ।
ପ୍ରେମ ଏକ ବଳିଦାନ ତ୍ୟାଗ ତା ଭୂଷଣ
ନୁହେଁ କେବେ ଏହା ମାତ୍ର ଶାରୀରିକ ଆକର୍ଷଣ
ଯିଏ କରେ ପ୍ରେମ ନୁହଁ ଭୀରୁ ସେ ଅଟଇ ସାହସୀ
ଡରେନି ସେ ଦୁନିଆ କୁ ସିନା ଦେଇଥାଏ ତା ଜୀବନ ।
ପ୍ରେମ ଏକ ଯୋଗସୂତ୍ର ଦୁଇଟି ଆତ୍ମାର
ଆକାଶ ପରି ତା'ର ବ୍ୟାପ୍ତି ସାଗରୁ ଗଭୀର
ପ୍ରେମରେ ହିଁ ତ ହୁଅଇ ଯେ ଈଶ୍ୱରଙ୍କ ପ୍ରାପ୍ତି
ବିଶ୍ଵ କୁ ଜିତିବାକୁ ଏହା ଅମୋଘ ଶକ୍ତି ।
ରେ ମାନବ, ହୃଦୟ ମଧ୍ୟରୁ ଯେବେ କରିବୁ ତୁ ପ୍ରେମ
ଏ ସୁନ୍ଦର ସୃଷ୍ଟି ତୋତେ ଲାଗିବ ସୁଷମ
ପାଇବୁ ଈଶ୍ୱର କୃପା ଲଭିବୁ ତୁ ମୁକ୍ତି
ଆତ୍ମା ତୋ ପାଇବ ନିଶ୍ଚେ ଚିରନ୍ତନ ଶାନ୍ତି ।