ମୋ ପ୍ରିୟାର ଅଭିମାନ
ମୋ ପ୍ରିୟାର ଅଭିମାନ
ମାନିନୀ ପ୍ରେୟସୀ ମୋର, ବସିଛି ଗୁମାନେ
ଶୁଖି ଯାଇଛି ତା' ଚନ୍ଦ୍ରବଦନ,
ଶୁଭୁନାହିଁ ତା'ର ବୀଣାଜିଣା ସୁର
ବୋଧେ କରିଛି ସେ, ପ୍ରୀତିଭରା ଅଭିମାନ ।
ଚାହୁଁନାହିଁ ମୋ ମୁହଁକୁ, ଦେଉଛି ସେ ଆଡରୁଷା
ପଢି କି ପାରୁନି ହାଏ ସେ, ମୋ ମନ ର ଭାଷା
ସବୁ ବୁଝି ବି ଅବୁଝା, କରେ ଅଭିନୟ
ମନେଇ ପାରିବି କି' ନା, ଲାଗେ ମୋତେ ଭୟ ।
ଭିଡ଼ିଲେ ପାଖକୁ ମୋର ଯାଏ ସେ ଛିଟିକି
ଲାଗିଛି ଗ୍ରହଣ ବୋଧେ ଆଜି ମୋ' ପ୍ରୀତି କି
ଭାବେ, ଏ ସମୟ ହେଉ ଅତିକ୍ରାନ୍ତ
ଅଭିମାନୀନି ପ୍ରିୟା ମୋର ହୋଇଯାଉ ଶାନ୍ତ ।
ଫଗୁଣର ରଙ୍ଗୋଲି ପରି ଅଟେ ତା'ର ମନ
ମାତ୍ର, ଅଭିମାନ ଆଣିଛି ସେଥିରେ ଶ୍ରାବଣ
ଭିଜି ଭିଜାଉଛି,
ହୃଦୟେ ମୋ ମୃଦୁ ମୃଦୁ ଆଘାତ କରୁଛି ।
କରେ ସି'ଏ ଅଭିମାନ ଭଲ ପାଏ ବୋଲି
ଜାଣିଛି, ସେ ଡରୁଛି ମୁଁ ଗଲି କାଳେ ଭୁଲି
କରୁ ଯେତେ ଅଭିମାନ,
ଦେଇଛି ହୃଦୟ ତାକୁ, ତା'ର ପ୍ରେମ ମୋ' ଜୀବନ ।