STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଖାଉଛି ଆଜି

ଖାଉଛି ଆଜି

1 min
298


ଦେଖ ତ ସଭିଏଁ ମୋର ଏ ବୁଦ୍ଧିକୁ

   କ୍ରୋଧ ଖାଉଅଛି ନିତି

ମନକୁ ମୋହର ଅହଂକାର ଖାଇ

   ମାରୁଛି ଦେଖାଇ ଭିତି।

ବୟସକୁ ମୋର ଚିନ୍ତା ଖାଉଅଛି

   ମଣିଷ ପଣିଆ ଦେଖ

ଲାଞ୍ଚ ଖାଇଖାଇ ମାରି ସାରିଲାଣି

   ପାଖେ ଆଉ ନାହିଁ ସୁଖ।

ମୋ ସ୍ବାଭିମାନକୁ ଲୋଭ ଖାଉଅଛି

   ସମ୍ମାନକୁ ଜିଦି ଖାଇ

ମୃତ ପରି ଏହି ଦେହଟା ହେଲାଣି

   ତୁମେ କି ମୋ ପରି ଭାଇ?

କେତେ ଚେଷ୍ଟା ଦିନେ କରିଥିଲି ସଦା

   କର୍ମକୁ ହାତରେ ଧରି

ହେଲେ ପାରିଲିନି ଏ ଧରା ଧାମରେ

   ସବୁ ତ ଗଲାଣି ସରି।

ସୁଖର ହାଟରେ ଦୁଃଖର ଏ ବୋଝ

   କେତେ ବା ସହିବି କୁହ

ଡାକ ଛାଡୁଥିଲି ତୁମେମାନେ କେହି

   ନ ଆସି ସେଠାରେ ରହ?

ହେଲେ ମାନିଲେନି ମାଡି଼ଆସି ସବୁ

   ଭାଙ୍ଗିଲେ ଏ ଦେହ ମନ

ମରିବା ହିଁ ଆଜି ସାର ହୋଇଗଲା

   ଲୁହ ବହେ ଘନଘନ।

କାହାକୁ କହିବି ବିହି ତ ଲେଖିଛି

   କପାଳରେ ଯେବେ ମୋର

ଭୋଗୁଅଛି ସଦା ଆଦ୍ଯରୁ ଏ ଯାଏଁ

   ଆଖିରୁ ଝରାଇ ଝର।

ମରି ପାରୁଛି ନା ସହି କି ପାରୁଛି

   ସଂସାର ହାଟରେ ନିତି

ପ୍ରତିକ୍ଷଣ ମୁହିଁ ଜିଅନ୍ତା ଶବଟେ

   ଯେମିତି ବୁଲଇ ରାତି।

ହେ ଜଗତବାସୀ ମୋର ପରି କେହି

   ହେବନି ଜୀବନ କାଳେ

ନ ହେଲେ ଜାଣନ୍ତୁ ବଞ୍ଚିବା ପାଇଁକି

   ସ୍ଥାନ ପାଇବନି ହେଳେ।

ଜଗତ କଲ୍ଯାଣ କରିବାକୁ ମୋର

   ନିବେଦନ କରୁଅଛି

ନ ହେଲେ ଭାଇରେ କୋରି ଖାଇଯିବେ

   ଯେମିତି ମୋତେ ଖାଉଛି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract