ସମୟର ନଈ
ସମୟର ନଈ
ଦୁନିଆଁରେ ସମୟର ନଈ ଯାଏ ବହି l
ନିରନ୍ତର କାହାକୁ ଅପେକ୍ଷା ନକରଇ ll
ନୀଳସାଗର ବକ୍ଷରେ ଯଥା ଉର୍ମିମାଳ l
ଏକଇର ପରେ ଆନ ବହିଯାଏ କାଳ ll
କାଳ ଗତି ରୋଧିବାକୁ ଶକ୍ତିଅଛି କାହିଁ l
ଦିନ ଯାଏ ଚିହ୍ନ କିନ୍ତୁ ରହିଥାଏ ଭାଇ ll
କାଳର ଗତିରେ ଭାସି ମହାମହା ଦ୍ରୁମ l
ଦୂର୍ବାଦଳ ରଚେ ଛାପ ରଚି ମହାକର୍ମ ll
କରାଳବେଗରେ ଧାଏଁ କାଳ ନନ୍ଦିଘୋଷ l
ଚିହ୍ନ ଛାଡ଼ିଗଲେ କିନ୍ତୁ ବାଲମିକ ବ୍ୟାସ ll
ତପବଳେ ସ୍ୱର୍ଗୁ ଗଙ୍ଗା ଆଣି ଏ ମରତେ l
କାଳବକ୍ଷେ ଚିହ୍ନ ରଖିଗଲେ ଭଗୀରଥେ ll
ଇହେ ପରେ ଭବିଷ୍ୟତେ କାଳର ସ୍ୱରୂପ l
କାଳ କଳା ଛାଇ ଭାଇ ଅଟେ ଅନ୍ଧ କୂପ ll
କାଳର ଗରଭେ କିସ ଥାଇ ଭବିଷ୍ୟତେ l
କଳିପାରିବ କେ ଚାହିଁ ବିସ୍ଫାରିତନେତ୍ରେ ll
ଗତସ୍ୟ ଶୋଚନାନାସ୍ତି ଗତସ୍ୟ ଭାବନା l
ବର୍ତ୍ତମାନେ ଚଇତନ୍ୟ ହୋଇ ବର୍ତ୍ତମାନା ll
ମାନବ ଜନ୍ମ ନୁହେଁତ ଦିବା,ମାସ,ବର୍ଷ l
କର୍ମ ହିଁ ତ ଭଗଵାନ ଭାବରେ ସର୍ବସ୍ବ ll
କାଳ ବକ୍ଷେ ଛାପ ଛାଡ଼ି ଶୁଭ କର୍ମ କର l
ସାର୍ଥକ ଜନମ ଶୁଭ କର୍ମେ ଜୀଅ ନର ll
କାଳର ବକ୍ଷେ ଉଡ଼ୁଛି ବାନା ଫର ଫର l
କଳିକାଳେ କଳାକାର କାଳିଆ ଠାକୁର ll