ଶୁଣ ସୁଜନେ ରାମକଥା
ଶୁଣ ସୁଜନେ ରାମକଥା
ଶୁଣ ସୁଜନେ ରାମକଥା
=============
ଶୁଣ ସୁଜନେ ରାମକଥା ।
ଯା ନାମ ଭବଭୟ ହର୍ତ୍ତା।।
ତ୍ରେତୟାଯୁଗ ଅଯୋଧ୍ୟାରେ ।
ଜନ୍ମିଲେ ଦଶରଥ ଘରେ ।।
ନର ଦେହରେ ନାରାୟଣ ।
ଶ୍ରୀରାମ ଭରତ ଶତୃଘ୍ନ ।।
ଲକ୍ଷ୍ମଣ ଯାଙ୍କ ସେବାକାରୀ।
ଏମନ୍ତ ବିଷ୍ଣୁଅଂଶେ ଚାରି ।।
ବିଦେହ ପୁରେ ଧନୁ ଭାଙ୍ଗି।
ବୈଦେହୀ କଲେ ପ୍ରାଣସଙ୍ଗୀ ।।
ସେ ପ୍ରଭୁ ଅହଲ୍ୟା ତାରଣ ।
ପିତୃ ସତ୍ୟରେ ଗଲେ ବନ ।।
ଭରତ ଚିତ୍ରକୂଟ ଗଲେ।
ପାଦୁକା ମୁଣ୍ଡାଇ ଫେରିଲେ ।।
ନନ୍ଦିଗ୍ରାମରେ ଥାପି ତାକୁ।
ଶାସନ କଲେ ଅଯୋଧ୍ୟାକୁ ।।
ଦଣ୍ଡକ ବନେ ପ୍ରଭୁ ବାସ।
ବଧିଲେ ବହୁତ ରାକ୍ଷସ ।।
ସୂର୍ପଣଖାର ନାସା କର୍ଣ୍ଣ।
ଛେଦିଲେ ସୁଧୀର ଲକ୍ଷ୍ମଣ ।।
ମାରୀଚ ହେମମୃଗ ହୋଇ।
ଶ୍ରୀରାମେ ରଖିଲା ଭୁଲାଇ ।।
ରାବଣ ଆସି ଭିକ୍ଷା ଛଳେ।
ସୀତାଙ୍କୁ ହରିଲା କୌଶଳେ ।।
ପୁଷ୍ପକ ଯାନରେ ବସାଇ।
ଲଙ୍କାକୁ ଯାଉଥିଲା ନେଇ ।।
ପଥରେ ଦେଖନ୍ତେ ଜଟାୟୁ।
ଚୋର ତୁ କାହିଁ ନେଇ ଯାଉ ।।
କେମନ୍ତ ତୁହି ଆରେ ଚୋର।
ହରିଲୁ ପୁତ୍ରବଧୂ ମୋର ।।
ଏମନ୍ତେ କହି କଲା ଯୁଦ୍ଧ।
ଛେଦିଲା ପକ୍ଷ ବୁଦ୍ଧି ମନ୍ଦ ।।
ରାମଙ୍କୁ ସନ୍ଦେଶ ସେ ଦେଇ।
ପ୍ରାଣ ଛାଡ଼ିଲେ ମୁଖ ଚାହିଁ ।।
ଶବରୀ ଘରେ ଯାଇ ମିଳି।
ଭୁଞ୍ଜିଲେ ତା' ଅଇଁଠା କୋଳି ।।
ଶ୍ରୀରାମ ଦର୍ଶନେ ଶବରୀ।
ଚଳିଲା ବଇକୁଣ୍ଠ ପୁରୀ ।।
କହିଲେ ମହର୍ଷି ମାତଙ୍ଗ।
ସୁଗ୍ରୀବ ସଙ୍ଗେ କର ସଙ୍ଗ ।।
ଆଣିବେ ସୀତାଙ୍କୁ ଖୋଜାଇ।
ଯେଉଁଠି ମାତା ଥିବେ ରହି ।।
ଏମନ୍ତେ ଗଲେ ରୁଷ୍ୟମୁକ।
ସୁଗ୍ରୀବେ ଦେଖିଲେ ପ୍ରତ୍ୟକ୍ଷ ।।
ହନୁମାନଙ୍କ ହେଲା ଦେଖା।
ସୁଗ୍ରୀବ ସାଥେ କଲେ ସଖା ।।
ବେନି ଜନଙ୍କ ଦଶା ଏକ।
ସୁଗ୍ରୀବ ଜଣାଇଲେ ଦୁଃଖ ।।
ବାଳୀକୁ ବାଣକେ ବଧିଲେ।
ସୁଗ୍ରୀ କିଷ୍କିନ୍ଧ୍ୟା ରାଜା କଲେ ।।
ଦରିଆ ଲଂଘି ହନୁମାନ।
ଆଣିଲେ ସୀତାଙ୍କ ସନ୍ଧାନ ।।
ଲଙ୍କିନୀ ମୁଖ କରି ବଙ୍କା।
ହନୁ ଜାଳିଲେ ସ୍ୱର୍ଣ୍ଣ ଲଙ୍କା ।।
ଶିବଙ୍କୁ ଥାପି ରାମେଶ୍ୱରେ।
ସେତୁ ବାନ୍ଧିଲେ ସିନ୍ଧୁ ପରେ ।।
ଅଦ୍ୟାପି ରାଜେ ରାମସେତୁ।
ଶ୍ରୀରାମେଶ୍ୱର କୃପାହେତୁ ।।
କପି ବଳଙ୍କୁ ସଙ୍ଗେ ଧରି।
ହୋଇଲେ ମହାସିନ୍ଧୁ ପାରି ।।
ଲଙ୍କାରେ ଲାଗିଲା ସମର।
ରାକ୍ଷସେ ମରିଲେ ଅପାର ।।
ସବଂଶେ ମଲା ଦଶାନନ।
ଲଙ୍କା ହୋଇଲା ବୀରଶୂନ୍ୟ ।।
ରାବଣ ଭାଇ ବିଭୀଷଣ ।
ପ୍ରଭୁଙ୍କୁ ପଶିଲେ ଶରଣ ।।
ଲଙ୍କାରେ ତାଙ୍କୁ ରାଜା କରି।
ବିଭା କରାଇ ମନ୍ଦୋଦରୀ ।।
ଉଦ୍ଧାରି ଲଙ୍କାରୁ ସୀତାଙ୍କୁ।
ଆସିଲେ ପ୍ରଭୁ ଆଯୋଧ୍ୟାକୁ ।।
ଚୋଉଦ ବରଷର ଅନ୍ତେ।
ହରଷ ହୋଇଲେ ସମସ୍ତେ ।।
ଅବଧ ପୁରେ ବାଜେ ବାଜା।
ରାମ ହୋଇଲେ ପୁଣି ରାଜା ।।
ରାମ ରାଜ୍ୟରେ ସର୍ଵ ସୁଖ।
ପୁଣି ଆସିଲା ମହା ଦୁଃଖ ।।
ପ୍ରଜାଙ୍କ ଉପହାସ ଶୁଣି।
ପ୍ରଜାରଞ୍ଜକ ରଘୁମଣି ।।
ସୀତାଙ୍କୁ ବନେ ବିସର୍ଜିଲେ।
ଲକ୍ଷ୍ମଣ ବହୁତ କାନ୍ଦିଲେ ।।
ତମସା ତୀରରେ ଜାନକୀ।
କାନ୍ଦନ୍ତି ଦେଖିଲେ ବାଲ୍ମିକୀ ।।
କହିଲେ ତୁ ମୋର ଦୁହିତା।
ଆଶ୍ରମେ ରହ ନାହିଁ ଚିନ୍ତା ।।
ତପଶ୍ଚାରୀଣୀ ଅନୁକମ୍ପା।
କହିଲେ କାନ୍ଦୁ ତୁହି କିମ୍ପା ।।
ଉଦରେ ରଘୁକୁଳ ରତ୍ନ।
ମୁଁ ତୋର ମାଆ ନେବି ଯତ୍ନ।।
ବାଲ୍ମିକୀ ଆଶ୍ରମରେ ରହି।
ଜନ୍ମିଲେ ଲବ କୁଶ ଦୁଇ ।।
ସୀତାଙ୍କ ନୟନ ପିତୁଳା।
ଆହା ଭାଗ୍ୟରେ ଏହିଥିଲା।।
ସେ ଦୁଇ ଯମଜ ସନ୍ତାନ।
ବିଦ୍ୟା ପଢ଼ାନ୍ତି ତପୋଧନ।।
ଅଳପ ଦିନେ ସର୍ବ ବିଦ୍ୟା।
ଆୟତ୍ତକରି ହେଲେ ମେଧା ।।
ସୁସ୍ୱରେ ଗାଇ ରାମାୟଣ ।
ତୋଷିଲେ ସଭିଙ୍କର ମନ ।।
ରାମଙ୍କ ଯଜ୍ଞାଶ୍ୱ ବାନ୍ଧିଲେ।
ଯୁଦ୍ଧରେ ଶତୃଘ୍ନ ହାରିଲେ ।।
ମାତାଙ୍କ ଠାରୁ ଆଜ୍ଞା ପାଇ।
ଅଶ୍ୱ ଛାଡ଼ିଲେ ଦୁଇ ଭାଇ ।।
ଅବଧ ପୁରେ ଅଶ୍ୱମେଧ।
ଯଜ୍ଞ ହୋଇବ ହେଲା ସିଦ୍ଧ ।।
ସୁବର୍ଣ୍ଣ ସୀତା ପାଶେ ରଖି।
ଯଜ୍ଞ ହୋଇବ ରଖି ସାକ୍ଷୀ ।।
ବାଲ୍ମିକୀ ନିମନ୍ତ୍ରଣ ପାଇ।
ଚଳିଲେ ଜାନକୀଙ୍କୁ ନେଇ ।।
ଯଜ୍ଞସ୍ଥଳରେ ତାଙ୍କ ସୂତ।
ଗାଇଲେ ଶ୍ରୀରାମ ଚରିତ ।।
ବାଳକ ମୁଖେ ରାମାୟଣ ।
ଚକିତ ହେଲେ ସଭାଜନ ।।
ବୁଝାଇ କହିଲେ ବାଲ୍ମିକୀ।
ଶ୍ରୀରାମ ପତ୍ନୀ ଏ ଜାନକୀ ।।
ଯମଜ ପୁତ୍ର ଏ ତାଙ୍କର ।
ବିଧିରେ ରାମଙ୍କ କୁମର ।।
ସୁଧୀରା ସାଧ୍ୱୀ ସୁଚରିତ୍ରା ।
ସ୍ୱଧର୍ମେ ସତୀ ପତିବ୍ରତା ।।
ତାଙ୍କୁ ଗ୍ରହଣ କର ରାମ ।
ଯଜ୍ଞେ ଲଭିବ ସିଦ୍ଧ କାମ ।।
ଉଠିଲା ତହୁଁ ଏକ କଥା।
ପରୀକ୍ଷା ସୀତାଙ୍କ ସୁଦ୍ଧତା ।।
ସାକ୍ଷୀ ରହିବେ ବୈଶ୍ୱାନର ।
ପରୀକ୍ଷା ହେଵ ସତୀତ୍ଵର ।।
ଏ ଦୁଃଖ ଧର୍ମ ନ ସହିଲା।
ଧର୍ମରେ ଧରଣୀ ଫାଟିଲା ।।
ବସିଣ ମାତାଙ୍କର କୋଳେ।
ଜାନକୀ ପଶିଲେ ପାତାଳେ ।।
ସେ ସୀତା ଶ୍ରୀରାମ ଘରଣୀ।
ଜଗତେ ସତୀ ଶିରୋମଣି ।।
ସୀତା ବିଚ୍ଛେଦ ଅତି ଦୁଃଖ।
ରାମଙ୍କୁ ନ ଲାଗିଲା ସୁଖ ।।
ପୁତ୍ରଙ୍କୁ ଘେନି ରଘୁନାନ।
ପ୍ରଜାଙ୍କୁ ପାଳି କିଛି ଦିନ ।।
ଅନ୍ତରେ ଭାଗ କରି ରାଜ୍ୟ।
ପୁତ୍ରେ ସମର୍ପି ରାଜକାର୍ଯ୍ୟ ।।
ବୈକୁଣ୍ଠ ଗଲେ ଚାରି ଭାଇ।
ପୂଣ୍ୟ ସରଯୁ ପଥ ଦେଇ ।।
ଏମନ୍ତେ ଶ୍ରୀରାମଙ୍କ ଲୀଳା।
ତ୍ରେତାରେ ସମାପ୍ତ ହୋଇଲା ।।
କଳିରେ ରାମ ନାମ ଏକା।
ଭବାବ୍ଧୀ ତାରଣ ନୋଉକା।।
ନାମରେ ସର୍ଵ ପାପ ଯାଇ।
ପରମ ପଦ ମୋକ୍ଷଦାୟୀ ।।
ଶ୍ରୀରାମ ପୟରକୁ ଧ୍ୟାୟୀ।
କହିଲି ତାଙ୍କ କଥା ଦୁଇ ।।
ଅଗାଧ ଅମୃତ ସାଗର।
କହିବି କାହିଁ ଜ୍ଞାନ ମୋର ।।
ସୁଜନେ ନଧରିବ ଦୋଷ।
ଶ୍ରୀରାମ ଚରଣେ ମୋ ଆଶ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧
