ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ
ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ
ବଢେଇଟେ ସଞ୍ଜେ କାଠ କାମ ସାରି
ଫେରେ ଧରି ସାଥେ ଧନ,
କମ୍ବଳ ଟେ ଘୋଡି ହୋଇଥାଏ ଦେହେ
ଯେଣୁ ଥାଏ ଶୀତ ଦିନ ।
ନିର୍ଜନ ସ୍ଥାନରେ ପଥ ତା ଓଗାଳେ
ଖଣ୍ଟ ବନ୍ଧୁକ ତା ହାତେ,
କହେ ବଞ୍ଚିବାକୁ ଇଚ୍ଛା ଯେବେ ଦିଅ
ଧନ ଯାହା ଅଛି ସାଥେ ।
ଧଡ଼ିଆ ଖଣ୍ଟଟି ବନ୍ଧୁକଟି ଧରି
ବଳ ଓ ସାହସ ପାଇ
ଡରାଉଛି ଦେଖ ବଳଶାଳୀ ଟିକୁ
ବଢ଼େଇ ମନେ ଭାବଇ ।
ପରିଶ୍ରମ ଧନ ଦେଇ ଦୁର୍ବୃତ୍ତକୁ
କହେ କାଠମିସ୍ତ୍ରୀ ଶୁଣ,
ଘରଣୀ କହିବ ଉଡ଼ାଇ ଆସିଛ
ଜୁଆ ଖେଳି ସବୁ ଧନ ।
ଟୋପିକୁ ମୋହର ଗୁଳି କର ତୁମେ
ଦେଖାଇବାକୁ ପ୍ରମାଣ,
ସଂଗେ ସଂଗେ ଗୁଳି କରଇ ଲୁଟେରା
ବଢେଇ ଟୋପିକୁ ଜାଣ ।
ପୁଣି କାଠମିସ୍ତ୍ରୀ କହେ ଅନୁନୟେ
ଗୁଳିକର କମ୍ବଳକୁ,
ନଚେତ୍ ଧିକ୍କାର କରିବ ଘରଣୀ
ମୋ ପୁରୁଷ ପଣିଆଁକୁ ।
କମ୍ବଳେ ଅସଂଖ୍ୟ ଛିଦ୍ର ଥିଲେ ସିନା
ପାରିବି କରି ପ୍ରମାଣ,
ଆକ୍ରମଣକାରୀ ଜଣେ ନୁହେଁ ଥିଲେ
ଚାରିପାଖେ ବହୁ ଜଣ ।
ପୁଣି ସେ ବଢ଼େଇ କହେ ଆଉ ଗୋଟେ
ଫୁଟାଇ କର ସନ୍ତୋଷ
ଖଣ୍ଟ କହେ ଆଉ ଗୁଳି କଣ ଅଛି
ସବୁ ହୋଇଗଲା ଶେଷ ।
ଜାଣି ଗୁଳି ଶେଷ ହେଲା ଲୁଟେରାର
କମ୍ବଳକୁ କରି ଗୁଳି,
କାଠମିସ୍ତ୍ରୀ କହେ ଫେରାଇ ଦେ' ଏବେ
ସ୍ଵଇଚ୍ଛାରେ ଟଙ୍କା ଥଳି ।
ବନ୍ଧୁକ ଗୁଳିକୁ ଥିଲା ମୋର ଡର
ସେତକ ତ ଏବେ ଶେଷ,
ବଳରେ ମୋ ସହ କେବେ ପାରିବୁନି
ସ୍ମରଣ କର ତୁ ଈଶ ।
ଭୟରେ ଦୁର୍ବୃତ୍ତ ଦେଇ ଟଙ୍କା ଥଳି
ହେଲା ସେଠୁ ଅନ୍ତର୍ଦ୍ଧାନ,
ବୁଦ୍ଧି ବଳେ କାଠ ମିସ୍ତ୍ରୀ ବଞ୍ଚାଇଲା
ନିଜ ଧନ ଓ ଜୀବନ ।
