ମଣିଷ ସମୟର ଦାସ
ମଣିଷ ସମୟର ଦାସ
ମଣିଷ ଅଟଇ ସମୟର ଦାସ
କେବେ ଖରା କେବେ ଛାଇ
ସମୟ ଚକ୍ରର ଘୂର୍ଣ୍ଣନ ଫଳରେ
ଉତ୍ଥାନ ପତନ ଦୁଇ ।
ସମୟ ଖେଳରେ ମହାରାଜା ନଳ
କାଟିଥିଲେ ଘୋଡା ଘାସ
ପିତୃ ସତ୍ୟ ଛଳେ ଭୋଗିବାକୁ ହେଲା
ଶ୍ରୀରାମଙ୍କୁ ବନବାସ ।
ଦାନୀ ହରିଶ୍ଚନ୍ଦ୍ର ସର୍ବସ୍ୱାନ୍ତ ହୋଇ
ଜଗିଲେ ମଶାଣି ଭୂଇଁ
ସମୟଠୁଁ ବଡ ବଳବାନ ଆଉ
ଜଗତରେ ନାହିଁ କେହି ।
ଆଜି ଯିଏ ରାଜା କାଲି ସେ ଫକୀର
ପୁଣି ଫକୀରରୁ ରାଜା
ଅଜ୍ଞାନ ବଖାଣେ ବ୍ରହ୍ମ ଜ୍ଞାନ ତତ୍ତ୍ୱ
ପାଏ ସଭିଙ୍କଠୁଁ ପୂଜା ।
ଜୀବନର ସ୍ଥିତି ରହେନା ସମାନ
ସମୟ ବଦଳି ଦିଏ
ସୁଖରେ ବିଭୋର ଦୁଃଖରେ ଅଧୀର
ହୋଇବା ଉଚିତ ନୁହେଁ ।