ଦିବା କାକ ରୁତା ଭୀତା
ଦିବା କାକ ରୁତା ଭୀତା
ଦିବା କାକ ରୁତା ଭୀତା
ରାତ୍ରେ ତରନ୍ତି ନର୍ମଦା ।
ଅବନ୍ତୀ ରାଜ୍ୟର ରାଣୀ ଚନ୍ଦ୍ରକଳା
ଲଜ୍ଜାଶୀଳା ରୂପବତୀ ,
ସମକକ୍ଷା ତାଙ୍କ ନାହାଁନ୍ତି ରମଣୀ
କହନ୍ତି ଗର୍ବେ ନୃପତି ।
କାକ ରାବ ଶୁଣି ଡରେ ଥର ହର
ଏମିତିକା ଡରକୁଳୀ ,
ଲାଜ ତାଙ୍କ ଦେଖି ଲାଜକୁଳୀ ଲତା
ବିରସେ ଯାଏ ଝାଉଁଳି ।
ଦିନେ ରାତି ଅଧେ ରାଣୀ ଚନ୍ଦ୍ରକଳା
ନବରୁ ହେଲେ ବାହାର ,
କଟୁଆଳଟିର ନଜର ପଡିଲା
ମହାରାଣୀଙ୍କ ଉପର ।
ସନ୍ଦିଗ୍ଧ ମନରେ ରାଣୀଙ୍କ ପଶ୍ଚାତେ
ଗଲା ଯେବେ କଟୁଆଳ ,
ଦେଖିଲା ରାଣୀମା ନିଜେ ନୌକା ବାହି
ପାରି ହେଲେ ଗଣ୍ଡ ଜଳ ।
ନଦୀ ଆରପଟେ ବିସ୍ତୀର୍ଣ୍ଣ ପ୍ରାନ୍ତରେ
ସଇସ'ର ଚାଳଘରେ ,
ରାଣୀ ଓ ସଇସ ମଦ ମାଂସ ଭକ୍ଷି
ନିମଗ୍ନ ରତି କ୍ରୀଡାରେ ।
ତହିଁ ପରଦିନ ଯେତେବେଳ ରାଜା
କଲେ ରାଣୀଙ୍କ ପ୍ରଶଂସା ,
କଟୁଆଳ କହେ ନିର୍ଭୀକ ଚିତ୍ତରେ
ପ୍ରଦତ୍ତ ବାକ୍ଯ ସହସା ।
ଦିବା କାକ ରୁତା ଭୀତା
ରାତ୍ରେ ତରନ୍ତି ନର୍ମଦା ।
କ୍ରୋଧେ ଜର୍ଜରିତ ହୋଇ ମହାରାଜ
ଏକଥା କହିବା ଅର୍ଥ ,
ପଚାରିଲେ ଯେବେ କଟୁଆଳ ଧୀରେ
ବୁଝାଇଲା ପରମାର୍ଥ ।
ସମସ୍ତ ପ୍ରମାଣ ହେଲା ହସ୍ତଗତ
ରାଜା ହେଲେ ମର୍ମାହତ ,
ବୁଝିଲେ ବେଭାରେ ଜାଣିବା କଠିନ
ମଣିଷର ସ୍ବଚରିତ ।
ମୃତ୍ୟୁ ଦଣ୍ଡେ ରାଣୀ ଗଲେ ଯମାଳୟ
ନିଜ କୃତକର୍ମ ପାଇଁ ,
ସର୍ବଜନେ ଜ୍ଞାତ ପଥରେ ଖୋଦିତ
ଲେଖା ହେଲା ବାକ୍ଯ ଦୁଇ ।